୫୧ ଦିନ ପରେ ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଜେଲ ଫାଟକ ନିକଟରେ ଭବ୍ୟ ସ୍ୱାଗତ, ଜାଣନ୍ତୁ ଆଗାମୀ ରଣନୀତି ନେଇ କ’ଣ ଦେଲେ ସୂଚନା

72

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୀର୍ଘ ୫୧ ଦିନ ଧରି ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି । ତାଙ୍କ ଜାମିନ ଆବେଦନ ମଞ୍ଜୁର ହେବା ପରେ ତିହାର ଜେଲ ନିକଟରେ ଦଳୀୟ କର୍ମୀ ଓ ହଜାର ହଜାର ସମର୍ଥକଙ୍କ ଭିଡ ଲାଗିଥିଲା । ସନ୍ଧ୍ୟା ୭ଟା ବେଳେ ସେ ଜେଲରୁ ବାହାରିଛନ୍ତି । ତାଙ୍କ ପାଛୋଟି ଆଣିବାକୁ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତିହାର ଜେଲ ପହଂଚିଥିଲେ ।

ଜେଲରୁ ବାହାରିବା ପରେ କେଜ୍ରିୱାଲ ବିଚାରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ସେ ସିଧାସଳଖ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଏବେ ସମୟ ଆସିଛି ଦେଶବାସୀ ଏକାଠି ହୋଇ ଦେଶରୁ ଏକଛତ୍ରବାଦ ଶାସକଙ୍କୁ ହଟାଇବାକୁ ପଡିବ । ଏହାସହ ଆସନ୍ତାକାଲି ଦିନ ୧୧ ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ଦେଇଛନ୍ତି ।