ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ ଆଶ୍ୱସ୍ତି । ଜେଲରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ ।

91

କନକବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟରୁ ଅନ୍ତରିଣ ଜାମିନ ମିଳିବା ପରେ ତିହାର ଜେଲରେ ପହଁଚି ସାରିଛି ନିର୍ଦ୍ଦେଶନାମା । ଜେଲରୁ ମୁକ୍ତ ହୋଇଛନ୍ତି କେଜ୍ରିୱାଲ । ତାଙ୍କୁ ସ୍ୱାଗତ କରିବାକୁ ଜେଲ ବାହାରେ ପହଁଚିଛନ୍ତି ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ, ଆପ ବିଧାୟକ, ସାଂସଦ ଓ ସମର୍ଥକ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ଯାଏ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିବା ସହ ଜୁନ ୨ରେ କେଜ୍ରିୱାଲଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି ।

ତେବେ ସେ କୌଣସି ସରକାରୀ କାର୍ଯ୍ୟ କରିପାରିବେ ନାହିଁ । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ତାରିଖରେ ଦିଲ୍ଲୀରେ ମତଦାନ ହେବ । ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଜାମିନ ମିଳିବା ଆମ୍ ଆଦମୀ ପାର୍ଟି ପାଇଁ କୌଣସି ବଡ଼ ଆଶ୍ୱସ୍ତିଠାରୁ କମ୍ ନୁହେଁ । କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା । ଏପ୍ରିଲ ପହିଲାରୁ ସେ ତିହାର ଜେଲରେ ଅଛନ୍ତି ।
ଜାମିନ ପାଇଁ ସର୍ତ୍ତ
ଜୁନ୍ ୧ ତାରିଖ ଯାଏ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ।
ଜୁନ୍ ୨ରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ ।
୫୦ ହଜାର ଟଙ୍କାର ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ ।
ଜାମିନ ସମୟରେ ସରକାରୀ କାମ କରିପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟ ମନା ।
ମାମଲା ସମ୍ପର୍କରେ ନିଜ ଭୂମିକା ନେଇ ଟିପ୍ପଣୀକୁ ବାରଣ ।
କୌଣସି ସାକ୍ଷ୍ୟଙ୍କ ସହ କଥା ହୋଇପାରିବେ ନାହିଁ ।
ମାମଲା ସମ୍ପର୍କିତ ଫାଇଲ୍ ଠାରୁ ଦୂରେଇ ରହିବେ ।
ନିର୍ବାଚନୀ ପ୍ରଚାର ପାଇଁ ନାହିଁ ପ୍ରତିବନ୍ଧକ ।