ବାଙ୍କୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା: ତରବରିଆ ଭାବେ ପୋଡି ଦେଉଥିବାରୁ ବଢିଲା ସନ୍ଦେହ

801

କନକ ବ୍ୟୁରୋ: କାଲି ଭୁବନେଶ୍ୱରରୁ ଗାଁକୁ ଫେରିଥିଲେ, ଆଜି ସ୍ତ୍ରୀଙ୍କ ସହ ଫ୍ୟାନ୍ରେ ଝୁଲି ପଡିଲେ । ବିବାହର ୭ ମାସରେ ଶେଷ ହୋଇଯାଇଛି ସଂସାର । ନବବିହାତ ଦମ୍ପତିଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡି ଯାଇଛି । ଏମିତି କଣ ହେଲା ଯେ, ସ୍ୱାମୀ-ସ୍ତ୍ରୀ ଗୋଟିଏ ପଙ୍ଖାରେ ଝୁଲି ପଡିଲେ । ଅସ୍ୱାଭାବିକ ମୃତ୍ୟୁ ସତ୍ୱେ ଗାଁ ଲୋକ ଶ୍ମଶାନକୁ ନେଇ ପୋଡି ଦେବା ପାଇଁ କାହିିଁକି ତରବର ହେଉଥିଲେ । ପୁଲିସ ଏ ପ୍ରଶ୍ନ ଉପରୁ ପରଦା ହଟାଇବ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସତ ସାମ୍ନାକୁ ଆଣିବ ବୋଲି ଆଶା ।

ନବ ବିବାହିତ ଦମ୍ପତିଙ୍କ ସନ୍ଦେହନଜକ ମୃତ୍ୟୁ ପରେ ତରବରିଆ ଭାବରେ ପୋଡି ଦେବାକୁ ନେଉଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଶ୍ମଶାନରେ ପହଂଚିବା ସହ ମୃତଦେହକୁ ଜବତ କରିଥିଲା ଓ ବ୍ୟବଚ୍ଛେଦ ପାଇଁ ବାଙ୍କୀ ମେଡିକାଲକୁ ପଠାଇଥିଲା । ଏବେ ପ୍ରଶ୍ନ ଉଠୁଛି କାହିଁକି ତରବରିଆ ଭାବେ ମୃତଦେହ ପୋଡି ଦେବାକୁ ଚାହୁଁଥିଲେ ଗାଁ ଲୋକ? ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବା ପରେ କାହିଁକି ପୋଲିସକୁ ଖବର ଦିଆଯାଇନଥିଲା? ଅପମୃତ୍ୟୁ ସତ୍ତେ୍ୱ କାହିଁକି ଶବ ବ୍ୟବଚ୍ଛେଦ କରିବାକୁ ଦିଆଗଲା ନାହିଁ? ଏସବୁ ପ୍ରଶ୍ନ ଉପରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପରଦା ହଟାଇ ପାରିବ ବୋଲି ଆଶା କରାଯାଉଛି ।

ଘର ଭିତରୁ ଉଦ୍ଧାର ହୋଇଥିଲା ନବ ଦମ୍ପତିଙ୍କ ମୃତଦେହ । ମୃତ ଦୁଇ ଜଣ ହେଲେ ଧରଣୀଧର ସାହୁ ଓ ନିରୁପମା ସାହୁ । ୭ ମାସ ତଳେ ଏମାନଙ୍କ ବିବାହ ହୋଇଥିଲା । ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିବା ବେଳେ ବୁଧବାର ଗାଁକୁ ଆସିଥିଲେ । ହେଲେ ଗୁରୁବାର ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ଅନୁସନ୍ଧାନ ଜାରି ରଖିଛି ।

ପୁରା ଘଟଣାକୁ ନେଇ ଏକାଧିକ ପ୍ରଶ୍ନ ଉଠୁଛି ।
– ବିବାହର ମାତ୍ର ୭ ମାସ ପରେ କାହିଁକି ଝୁଲି ପଡି଼ଲେ ସ୍ୱାମୀ-ସ୍ତ୍ରୀ?
– ଭୁବନେଶ୍ୱରରେ ରହୁଥିବା ଧରଣୀଧର କାହିଁକି ଗାଁକୁ ଆସିଥିଲେ?
– ଏକାଠି ଗୋଟିଏ ଫ୍ୟାନରେ କେମିତି ଝୁଲିପଡି଼ଲେ ଦମ୍ପତ୍ତି?
– ଏହା ଆତ୍ମହତ୍ୟା ନା କେହି ତାଙ୍କୁ ହତ୍ୟା କରି ଝୁଲାଇ ଦେଇଛି?