ଗଞ୍ଜାମ ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା: ନିର୍ବାଚନ ବନ୍ଦ ଘୋଷଣା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥକ

135

କନକ ବ୍ୟୁରୋ: ଦିଗପହଣ୍ଡିରେ ଚଳିବ ନାହିଁ ପରିବାର ରାଜନୀତି । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ଅନୁପସ୍ଥିିତିରେ ପୁଅ ବିପ୍ଳବ ପାତ୍ର ନିଜର ରାଜନୈତିକ ପତିଆରା ଜମାଉଥିବା ବେଳେ ସେହି ବିଜେଡିରୁ ମିଳିଛି ଶକ୍ତ ଧକ୍କା । ବିପ୍ଲବଙ୍କୁ ବିରୋଧ କରି ଖୋଲାଖୋଲି ସାମ୍ନାକୁ ଆସିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ପ୍ରଧାନ । ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ଦିଗପହଣ୍ଡିରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୁହାଯାଉଛି, ୨୫ ସମିତି ସଭ୍ୟରୁ ପ୍ରାୟ ୧୪ ଜଣଙ୍କ ସମର୍ଥନ ବିପିନ ଗୋଷ୍ଠୀ ସପକ୍ଷରେ ଥିଲା । ତେଣୁ ଶେଷ ମୂହୁର୍ତରେ ଉପନିର୍ବାଚନକୁ ବାତିଲ କରିଦିଆଗଲା ବୋଲି ଅଭିଯୋଗ ହୋଇଛି ।

ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା । ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ନିର୍ବାଚନ ବନ୍ଦ ରଖିବା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକ । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି ବିପିନଙ୍କ ସମର୍ଥକ ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଞ୍ଜାମ ଦିଗପହଣ୍ଡିରେ ସୃଷ୍ଟି ହୋଇଛି ଉତେଜନା । ଆଜି ନିର୍ବାଚନ ହେବାକୁ ଥିବାବେଳେ, ଅଚାନକ ବାତିଲ କରାଯିବାକୁ ନେଇ ତାତି ଉଠିଛନ୍ତି ଗୋଟିଏ ଗୋଷ୍ଠୀର ସମିତି ସଭ୍ୟ । ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ରାସ୍ତାରୋକ ରିଛନ୍ତି ।

ଉତେଜନା ପରେ ପଦାରେ ପଡିଛି, ଦିଗପହଣ୍ଡି ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳ । କୁହାଯାଉଛି, ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କର ଗୋଟିଏ ଗୋଷ୍ଠୀ ହୋଇଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ହେଉଛନ୍ତିି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର । ଆଉ ଆଜି ବିପିନଙ୍କ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ, ଭୋଟ ଦେବାକୁ ଆସିଥିଲେ । କିନ୍ତୁ ସେମାନେ ପହଁଚିବା ପରେ ଜାଣିବାକୁ ପାଇଥିଲେ ନିର୍ବାଚନ ବାତିଲ ହୋଇଛି । ଯାହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ତେବେ ବିପିନଙ୍କ ଗୋଷ୍ଠୀର ଅଧିକ ସମିତି ସଭ୍ୟ ରହିଥିବାରୁ ଜାଣିଶୁଣି ନିର୍ବାଚନକୁ ବାତିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ହୋଇଥିଲା । ତାପରେ ଏଠାରେ ଉପନିର୍ବାଚନ ହୋଇଥିଲା । ଏବଂ ଆଜି ଭୋଟ ହେବାର ଥିଲା । ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିି । କିନ୍ତୁ ଶେଷ ମୂହୁର୍ତରେ ନିର୍ବାଚନକୁ ବାତିଲ କରି ଦିଆଯାଇଛି । ତେବେ କାହିଁକି ନିର୍ବାଚନକୁ ବାତିଲ କରାଗଲା, ଏନେଇ ପ୍ରଶାସନ ପକ୍ଷରୁ କିଛି କୁହାଯାଇ ନାହିଁ । ହେଲେ, ବିପ୍ଲବଙ୍କ ପକ୍ଷରେ କମ୍ ସମିତି ସଭ୍ୟ ଥିବାରୁ ଭୋଟ ବାତିଲ ହୋଇଯାଇଥିବା କୁହାଯାଉଛି । ତେବେ ଦିଗପହଣ୍ଡିରେ ପରିବାରବାଦ ରାଜନୀତି ଚଳିବ ନାହିଁ ବୋଲି କହିଛନ୍ତି ବିପିନ ପ୍ରଧାନ ।

ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଂଝା ନୂଆ ନୁହେଁ । ସୂର୍ଯ୍ୟପାତ୍ର ଅସୁସ୍ଥ ହେବା ପରେ ଏହି ଛକାପଝା ଆହୁରି ବଢ଼ି ଯାଇଛି । ଆଉ ଯେଉଁ ଗୋଷ୍ଠୀର ବ୍ଲକ ଅଧ୍ୟକ୍ଷ ହେବେ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉଭୟ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଲାଗି ପଡିଛନ୍ତି ।