ସୁରତ ଟ୍ରିପଲ ମର୍ଡର ମାମଲା, ଆସିଲା ହତ୍ୟାପୂର୍ବର ସିସିଟିଭି ଫୁଟେଜ।

360

କନକ ବ୍ୟୁରୋ: ସୁରତରେ ମିଲମାଲିକ ଓ ତାଙ୍କ ୨ ଜଣ ସମ୍ପର୍କୀୟଙ୍କୁ ଓଡିଆ ଶ୍ରମିକ ହତ୍ୟା କରିବା ପୂର୍ବର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଆମ୍ରୋଲିର ଅଞ୍ଜାନି ଶିଳ୍ପାଂଚଳର ଦୃଶ୍ୟ ବୟାନ କରୁଛି ହତ୍ୟାକାଣ୍ଡ ପୂର୍ବରୁ ସେଠାରେ କଣ ଘଟିଥିଲା । ଓଡିଆ ଶ୍ରମିକଙ୍କୁ କେତେବେଳେ ହାତର ପୁଣି କେତେବେଳେ ବାଡିରେ ପିଟୁଛନ୍ତି କାରଖାନା ମାଲିକ । ସେ ସମୟର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କାରଖାନା ମାଲିକଙ୍କୁ କେମିତି ଛୁରିରେ ଭୁସି ସେଠାରୁ ଦୌଡି ପଲାଉଛନ୍ତି ଉଭୟ । ମାଲିକ ଓ ଶ୍ରମିକ ମଧ୍ୟରେ ସଂଘର୍ଷ ପରେ ଯାହା ଘଟିଗଲା, ତାହା ସାମ୍ନାକୁ ଆସିଛି । ଓଡିଆ ଶ୍ରମିକମାନେ ମିଲ ମାଲିକ ସମେତ ୩ ଜଣଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକ ତିନି ଜଣ ହେଲେ ସୁରତ ଏମ୍ବ୍ରୋଡରି କାରଖାନା ମାଲିକ କଳ୍ପେଶ ଭାଇ ଧନଜି ଭାଇ ଢୋଲକିଆ, ତାଙ୍କ ପୁଅ ଧନଜିଭାଇ ରଣଛୋଡ ଢୋଲକିଆ ଏବଂ କଳ୍ପେଶଙ୍କ ଶାଳକ ଘନଶ୍ୟାମ ଭାଇ ବାଗୋଡିଆ । ଏହି ଘଟଣାରେ ସୁରତ ପୁଲିସ ଗଂଜାମର ଜଣେ ନାବାଳକ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏପଟେ ପରିବାର ଲୋକ କହିଛନ୍ତି ସାମନ୍ୟ ବଚସାରୁ ଅସାବଧାନତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ।

କୁହାଯାଉଛି ଏମ୍ବ୍ରୋଡରି କାରଖାନାରୁ ଅଟକ ତିନି ଜଣ ଶ୍ରମିକଙ୍କୁ ଚାକିରୀରୁ ବାହାର କରିଦେଇଥିଲେ କାରଖାନା ମାଲିକ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି ।