ନିର୍ବାଚନୀ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢ଼େ ୮ଟାରେ ଜନପଥରେ ରୋଡ୍ ସୋ’ ।

118

କନକ ବ୍ୟୁରୋ: ମୋଦୀମୟ ହେବ ରାଜଧାନୀ । କମ୍ପିବ ରାଜଧାନୀର ରାଜରାସ୍ତା । ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ରାତି ୮ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହା ପରେ ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବେ । ରାତି ସାଢ଼େ ୮ଟା ବେଳେ ଜନପଥରେ ରୋଡ୍ ସୋ’ କରିବେ ମୋଦୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ରହିବ ଏହି ରୋଡ୍ ସୋ’ । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ପ୍ରସ୍ତୁତ ହୋଇଛି । ପ୍ରତି ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରାବାଜି ଜାରି ରହିବ । ବାଣୀବିହାର ପର୍ଯ୍ୟନ୍ତ ବନ୍ଧାଯାଇଥିବା ବ୍ୟାରିକେଡ ପଛରେ ରହିବେ ହଜାର ହଜାର ମୋଦୀ ସମର୍ଥକ । ଆଉ ଏହି ସମୟରେ ମୋଦୀ ମୋଦୀ ନାରାରେ କମ୍ପିଉଠିବ ପୂରା ଜନପଥ । ରାତି ସାଢ଼େ ୯ଟାରେ ରୋଡ୍ ସୋ’ ସରିବା ପରେ ରାଜଭବନ ଅଭିମୁଖେ ବାହାରିଯିବେ ମୋଦୀ । ଯେଉଁଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ତିନୋଟି ସ୍ଥାନରେ ପ୍ରଚାର କରିବେ ମୋଦୀ । ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗଦେବେ ।

ମୋଦୀଙ୍କ ଓଡିଶା ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ରୋଡ୍ ସୋ’ ପାଇଁ ସଜାଗ ଓଡ଼ିଶା ପୁଲିସ ଓ ଏସପିଜି । ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଞ୍ଚିବା ଠାରୁ ଆରମ୍ଭ କରି ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ରୋଡ୍ ସୋ’ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍ ପୁଲିସ । ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ସେହିପରି ଅପରାହ୍ନ ୪ଟାରୁ ରୋଡ୍ ସୋ’ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ବନ୍ଦ କରିଦିଆଯିବ । ଏହାସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯିବ । ରୋଡ୍ ସୋ’ର ପୂରା ଦାୟିତ୍ୱ ରହିଛି କମିଶନରେଟ୍ ପୁଲିସ ପାଖରେ । ମୋଦୀଙ୍କ ସୁରକ୍ଷା ପାଇଁ ଏସପିଜି ସହ ମିଶି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ । ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବ । ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ତିନୋଟି ଆଣ୍ଟିି ଟେରର ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ । ସେହିପରି ପୁରା ଜନପଥରେ ଲାଗିଛି ସିସିଟିଭି । ଟ୍ରାଫିକ ରେଗୁଲେସନ ପାଇଁ ମାର୍ଗଦର୍ଶିକା ବି ଜାରି ହୋଇଛି । ସେହିଭଳି ମାଷ୍ଟରକ୍ୟାଣ୍ଟିିନରୁ ବାଣୀବିହାର ରାସ୍ତାରେ ଥିବା ଇଲେକଟ୍ରିକ କନକ୍ସେନର ଯାଞ୍ଚ କରିଛି ଏସପିଜି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ର ବକ୍ସଗୁଡିକୁ ଯାଞ୍ଚ କରାଯାଇଛି । ଏହାସହ ମୋଦୀଙ୍କ ଗସ୍ତ ପୂର୍ବରୁ ଏୟାରପୋର୍ଟ ପାଖରୁ କାରକେଡ୍ ରିହଲସଲ ମଧ୍ୟ କରାଯାଇଛି ।