ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ । ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।

109

କନକ ବ୍ୟୁରୋ: ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ବଢିଛି । ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଛି । ଦ୍ୱାଦଶଯାତ୍ର ବନ୍ଦାପନା ପରେ ଚନ୍ଦନ ଠାକୁରମାନେ ସାଢ଼େ ୩ଟା ମଧ୍ୟରେ ବିମାନକୁ ବିଜେ କରିବେ ।

ଏହା ସହିତ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନମୋହନଙ୍କର ବନ୍ଦାପନା ନୀତି କରାଯିବ । ଏହାପରେ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାଳ ବିଜେ କରିବେ । ଚନ୍ଦନଠାକୁରମାନେ ବାହାର ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୁଳ ପାଇଁ ବିମାନ ବିଜେ କରି ବଡଦାଣ୍ଡକୁ ଓହ୍ଲାଇବେ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ଫୁଟିଆ ଧଉରା କାଠକୁ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ । ସେପଟେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ହେବ । ଏଥି ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି ।