ହଲଚଲ ହେଉଛି ହରିଆଣା ରାଜନୀତି । ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ବିଜେପି ଗ୍ରହଣ କଲା ଚ୍ୟାଲେଞ୍ଜ ।

120

କନକବ୍ୟୁରୋ : ହରିଆଣାରେ ହେବ କି ଫ୍ଲୋର ଟେଷ୍ଟ । ତିନି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ପ୍ରତ୍ୟାହାର । ହରିଆଣାରେ ରାଜନୈତିକ ହଟଚମଟ ଜାରି ରହିଛି । ମଙ୍ଗଳବାର ବିଜେପି ସରକାରକୁ ସମର୍ଥନ କରିଥିବା ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏହା ପରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ଏହି କ୍ରମରେ ଜେଜେପି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା ହରିଆଣା ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟପାଳଙ୍କ ଠାରୁ ବିଧାନସଭାର ଅଧିବେଶନ ଡାକି ଫ୍ଲୋର ଟେଷ୍ଟ କରିବାକୁ ଚୌଟାଲା ଦାବି କରିଛନ୍ତି । ହରିଅ।।ଣାରେ ସରକାର ଗଠନ ପାଇଁ ଅନ୍ୟ କୌଣସି ରାଜନୈତିକ ଦଳକୁ ସମର୍ଥନ ପାଇଁ ସେ ବାଟ ଖୋଲା ରଖିଛନ୍ତି ବୋଲି କହିଛନ୍ତି । ଏହାପରେ ବିଜେପି ସରକାରର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠିଛି ।

ଦୁଷ୍ୟନ୍ତ ଚୌଟାଲା ଚିଠିରେ ଲେଖିଛନ୍ତି, ଗୃହର ସଂଖ୍ୟା ହେଉଛି ୮୮ । ଏଭଳି ସ୍ଥିତିରେ ବିଜେପିର ୪୦, କଂଗ୍ରେସର ୩୦, ଜେଜେପିର ୧୦, ହାଲୋପାର ଜଣେ ଏବଂ ଆଇଏନଏଲଡିର ଜଣେ ବିଧାୟକ ଅଛନ୍ତି । ବର୍ତ୍ତମାନ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୬ ରହିଛି । ଏମାନଙ୍କ ମଧ୍ୟରୁ ୩ ଜଣ ସ୍ୱାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ସରକାରଙ୍କ ପାଖରେ ଆସ୍ଥା ଭୋଟ ନାହିଁ ବୋଲି ଦୁଷ୍ୟନ୍ତ ଚୌଟାଲା ରାଜ୍ୟପାଳଙ୍କୁ ଚିଠି ଲେଖି ଦାବି କରିଛନ୍ତି ।

ତେଣୁ ବିଧାନସଭା ଅଧିବେଶନ ଡକାଯାଇ ସରକାର ଫ୍ଲୋର ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ହାଲୋପା ଓ ୨ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ବିଜେପି ପାଖରେ ମୋଟ ୪୩ଟି ଆସନ ରହିଛି । ସଂଖ୍ୟାଗରିଷ୍ଠତା ପାଇଁ ୪୫ଟି ଆସନର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଛି ।

ରାଜ୍ୟରେ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ, ଅନ୍ୟ ଦଳର ନେତା ବି ବିଜେପି ଓ ଯୋଗାଯୋଗରେ ରହିଛନ୍ତି । ଅନ୍ୟପଟେ ନିକଟରେ ଜେଜେପି ସହ ବିଜେପିର ମେଂଟ ଭାଙ୍ଗିବା ପରେ ବିଧାନସଭାରେ ଫ୍ଲୋର ଟେଷ୍ଟ ହୋଇଥିଲା । ତେଣୁ ସମ୍ବିଧାନର ନିୟମ ଅନୁଯାୟୀ ଆସ୍ଥା ଭୋଟ୍ ହେବାକୁ ହେଲେ ସର୍ବନିମ୍ନ ୬ ମାସ ଅବଧି ରହିବା ଆବଶ୍ୟକ । ବର୍ଷକୁ ୨ ଥର ।