କରୋନାକୁ ନେଇ ପୁଣି ଥରେ ଭୟ ଭିତରେ ମନେପଡୁଛି କରୁଣ କାହାଣୀ। କନକ ନ୍ୟୁଜରେ ଅନୁଭୂତି କହିଲେ ମୃତ୍ୟୁ ମୁଖରୁ ବଞ୍ଚିଆସିଥିବା ଆକ୍ରାନ୍ତ।

83

କନକ ବ୍ୟୁରୋ: ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାୟକ । ରାଜଧାନୀ ଦିଲ୍ଲୀରେ ଚାଲିଛି ଚିକିତ୍ସା । ବିଧାନସଭାରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କୁ ଦେଖିଥିବା ଲୋକଙ୍କୁ ତାଙ୍କର ବର୍ତ୍ତମାନର ଫୋଟୋ ଚକିତ କରିପାରେ । କରୋନାକୁ ହରାଇ ବିଜେପିର ଏହି ଟାଣୁଆ ବିଧାୟକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଦେଢ ବର୍ଷ ହେଲା ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଛି । ଆଶା କରାଯାଉଛି ସେ ଶୀଘ୍ର ସୁସ୍ଥ ହୋଇ ସାର୍ବଜନୀନ ଜୀବନକୁ ଫେରିବେ ।

ସେହିଭଳି କରୋନା ଆକ୍ରାନ୍ତ ହେବା ପରେ ବଞ୍ଚିବାର ଆଶା ଛାଡି ଦେଇଥିଲେ ଉମରକୋଟର ଗୋଟିଏ ପରିବାର । ହେଲେ ଡାକ୍ତରଙ୍କ ଅପ୍ରାଣ ଉଦ୍ୟମ, ଆତ୍ମୀୟସ୍ୱଜନଙ୍କ ପ୍ରାର୍ଥନା ଯୋଗୁଁ ସେମାନେ ନୂଆ ଜୀବନ ପାଇଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କରୋନା ଆକ୍ରାନ୍ତ, ହସ୍ପିଟାଲରେ ବିତାଇଥିବା କଥାକୁ ମନେ ପକାଇ ଶିହରି ଉଠିଛନ୍ତି । ସେପଟେ ବ୍ରହ୍ମପୁରର ପ୍ରସନ୍ନ ଚୌଧୁରୀ କରୋନା ଆକ୍ରାନ୍ତ ସମୟ କେତେ କଷ୍ଟ ଦାୟକ ତାହାକୁ ପରିପ୍ରକାଶ କରିଛନ୍ତି ।

କରୋନା ସଂକ୍ରମଣର ଖବର ଜୟପୁରର ବ୍ୟବସାୟୀ ଜାମି ରାଜେଶଙ୍କୁ ପୁଣି ଭୟଭୀତ କରିଛି । କରୋନାରେ ରାଜେଶ ଓ ତାଙ୍କ ବାପା ସଂକ୍ରମିତ ହେବା ପରେ ବାପା-ପୁଅ ହସ୍ପିଟାଲରେ ପଡିଥିଲେ । ଆଉ ହସ୍ପିଟାଲ ବାହାରେ ଜଗି ରହୁଥିଲେ ମାଆ । ତିନି ମାସ ପରେ ମେଡିକାଲରୁ କରୋନା ମୁକ୍ତ ହୋଇ ଫେରିଥିଲେ ରାଜେଶ, କିନ୍ତୁ ସୁସ୍ଥ ହେବାକୁ ତାଙ୍କୁ ଲାଗିଥିଲା ୩ବର୍ଷ । ସେପଟେ ମାଲକାନଗିରି ଜଣାଶୁଣା ବ୍ୟବସାୟୀ ବିଷ୍ଣୁ ମିଶ୍ର କହିଛନ୍ତି, ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ୧୦ ଦିନରେ ମେଡିକାଲରୁ ଫେରିଥିଲେ । କିନ୍ତୁ ୮ ମାସ ପରେ ତାଙ୍କର ହୃଦଘାତ ହେଲା । ତେଣୁ କରୋନାକୁ ହାଲୁକାରେ ନନେବା ପାଇଁ ଅନୁରୋଧ କରିଛନ୍ତି ବିଷ୍ଣୁ ମିଶ୍ର ।

ସେହିପରି କରୋନା ଆକ୍ରାନ୍ତ ସମୟର ଦୁଃଖଦ କାହାଣୀ କହିଛନ୍ତି କଟକର ବରିଷ୍ଠ ନାଗରିକ ରବି ଶତପଥୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ସୁବ୍ରତ ପ୍ରଧାନ କରୋନାରୁ ସୁସ୍ଥ ହେବା ପରେ କେମିତି ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇ ମୃତ୍ୟୁକୁ ମାତ ଦେଲେ ତାହା ବଖାଣିଛନ୍ତି ।

ଚୀନରେ ସଂକ୍ରମଣର ସୁନାମି ପରେ ଭାରତ ସରକାର ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୟନକରି ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସରକାର । ତେବେ ପୂର୍ବରୁ କରୋନାର ଯେଉଁ ଭୟାବହତା ଆମେ ଦେଖିଛୁ ସେ ବାବଦରେ ଆକ୍ରାନ୍ତଙ୍କ ଠାରୁ ଅଧିକ ଆଉ କିଏ କହିପାରିବ ।