ସୁମିତ୍-ତପସ୍ୱିନୀ ବିବାଦ – ଗେଟ ଭାଙ୍ଗି ଭିଡ ଘରକୁ ପଶିବା ପରେ: ଏଫଆଇଆର ଦେଇ ସୁରକ୍ଷା ମାଗିଲେ ସୁମିତଙ୍କ ବାପା

367

କନକ ବ୍ୟୁରୋ: ବ୍ରହ୍ମପୁର ଡ଼ାକ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ । ସୋମବାର ରାତିରେ ଲୋକେ ସୁମିତଙ୍କ ଘରର ଗେଟ ଭାଙ୍ଗି ବଳପୂର୍ବକ ଭିତରକୁ ପଶିବା ପରେ ଆଜି ଥାନାରେ ଅଭିଯୋଗ କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ସେ ଏତଲାରେ ଦର୍ଶାଇଛନ୍ତି ଯେ, ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ବଳପୂର୍ବକ ଘର ଭିତରେ ପଶିଛନ୍ତି ଏବଂ ସେମାନେ ପୁଣି ଆକ୍ରମଣ କରିବାର ଆଶଙ୍କା ରହିଛି ।

ତେବେ ବ୍ରହ୍ମପୁରରେ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କୁ କିଏ ଦେବ ନ୍ୟାୟ? ସୋମବାର ରାତିରେ ଶ୍ୱଶୁର ଘରର ଗେଟ୍ ଭାଙ୍ଗି ଲୋକେ ଘରକୁ ଜବରଦସ୍ତ ପଶିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି । ଏପଟେ ସୁମିତଙ୍କ ବାପା ଗତକାଲିର ଘଟଣା ନେଇ ବୈଦ୍ୟନାଥପୁର ଥାନାରେ ଅନଲାଇନରେ ଅଭିଯୋଗ କରିଛନ୍ତି ।
ଏତଲାରେ ସେ ଦର୍ଶାଇଛନ୍ତି

  • ତପସ୍ୱିନୀ ଓ ପ୍ରମିଳା ତ୍ରିପାଠୀ ବଳପୂର୍ବକ ଘର ଭିତରେ ପଶିଛନ୍ତି
  • ସେମାନେ ପୁଣି ଆକ୍ରମଣ କରିବା ଆଶଙ୍କା ରହିଛି
  • ଘର ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଇଛନ୍ତି
  • ଜୀବନ ବିପଦରେ ଥିବାରୁ ସୁରକ୍ଷା ଦିଆଯାଉ
  • ପୂରା ପରିବାର ଗୃହବନ୍ଦୀ ହୋଇ ରହିଥିବାରୁ ସହାୟତା ଯୋଗାଇ ଦିଆଯାଉ

ସେପଟେ ସୁମିତଙ୍କ ଜେଜେ ମା’ ବି ଏକ ଭିଡିଓ କରି ସେମାନଙ୍କୁ ଉଦ୍ଧାର କରିବାକୁ ଅପିଲ କରିଛନ୍ତି । ତେବେ ଗତକାଲିର ଘଟଣା ପରେ ଧାରଣାସ୍ଥଳ ଆଗରେ ୧୪୪ ଧାରା ଜାରି ହୋଇଛି । ପୁଲିସ ବି ମୁତୟନ ହୋଇଛନ୍ତି । ସେଠାରେ ଭିଡ ବଢୁଥିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଛି । ବିବାଦ ବଢିବା ପରେ ପୁଣି ଥରେ ସାମ୍ନାକୁ ଆସିଛନ୍ତି ସୁମିତ । ସେ ପ୍ରଶ୍ନ କରିଛନ୍ତି…

  • ମାମଲା କୋର୍ଟରେ ଥିବା ସତ୍ତ୍ୱେ ତପସ୍ୱିନୀ କାହିଁକି ଏମିତି ହେଉଛନ୍ତି?
  • ପ୍ରମିଳା ତ୍ରିପାଠୀ କାହିଁକି ସମ୍ପୃକ୍ତ ହେଉଛନ୍ତି ଏବଂ ସେ ତାଙ୍କ ଘର ବିଷୟରେ କଣ ଜାଣିଛନ୍ତି ?
  • ତପସ୍ୱିନୀଙ୍କ ଯଦି କିଛି ଅଧିକାର ରହିଛି ତେବେ ସେ କାହିଁକି କୋର୍ଟରେ କହୁନାହାନ୍ତି?
  • କୋର୍ଟ ତାଙ୍କ ସପକ୍ଷରେ କୌଣସି ଟିପ୍ପଣୀ କରୁନଥିବାରୁ ତପସ୍ୱିନୀ ରାସ୍ତାରେ ଡ୍ରାମା କରୁଥିବା ସୁମିତ କହିଛନ୍ତି । ସେପଟେ ତପସ୍ୱିନୀ କହିଛନ୍ତି, ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।

ତପସ୍ୱିନୀ, ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ସୋମବାର ରାତିରେ ଅଚାନକ ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ ମହିଳା । ଏଠାରେ ବଡ ପ୍ରଶ୍ନ ଉଠୁଛି, ମାମଲା କୋର୍ଟରେ ବିଚାରଧୀନ ଥିବାବେଳେ ନ୍ୟାୟ ଦେବା ପାଇଁ କାହିଁକି ଆଇନକୁ ହାତକୁ ନିଆଯାଉଛି ।