ସୁନ୍ଦରଗଡ଼ର ସଫଳ ଚାଷୀ । ବର୍ଷକୁ ରୋଜଗାର କରୁଛନ୍ତି ୭ ଲକ୍ଷରୁ ଅଧିକ ଟଙ୍କା

204

କନକ ବ୍ୟୁରୋ : ଦିନେ ପର ଘରେ ମଜୁରି କରୁଥିଲେ । ପର ଘରେ ମୂଲ ଲାଗିଲେ ପରିବାରରେ ଚୁଲି ଜଳୁଥିଲା । ଆଉ କାମ ନମିଳିଲେ ଭୋକ ଉପାସରେ ରହି ନିଜ ଭାଗ୍ୟକୁ ଆଦରି ନିଜ ମାଟି ଝାଟି ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଥିଲା । ହେଲେ ଜୀବନର ଚଲାପଥରେ ଅନେକ କଷ୍ଟ ସହି ବିଫଳତା ରୁ ସଫଳତାର ସ୍ୱାଦ ପାଇଥିବା ଜଣେ ଉଦ୍ୟମି ଯୁବ ଚାଷୀ ହେଉଛନ୍ତି ମନୋଜ ଓରାମ୍ ।

 

କ୍ଷେତରେ ହସୁଛି ସୁନା ଫସଲ । ଭେଣ୍ଡି, ବାଇଗଣ, ଝୁଡ଼ଙ୍ଗ, କଦଳୀ ଚାଷରେ ପୁରି ଉଠୁଛି କ୍ଷେତ । ଏହି ଚାଷ ପାଇଁ ଦିନ ମଜୁରିଆରୁ ଲକ୍ଷପତି ଚାଷୀ ହୋଇପାରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସାନପତ୍ରାପାଲି ଗାଁର ମନୋଜ ଓରାମ୍ । କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଆଉ ଯାହା ତାଙ୍କ ପାଖରେ ଦେଖିବାକୁ ମିଳିଛି । ବୟସ ମାତ୍ର ୩୩ ବର୍ଷ । ସ୍ତ୍ରୀ, ଭାଇ ଓ ଏକମାତ୍ର ପୁଅଙ୍କୁ ନେଇ ମନୋଜଙ୍କ ପରିବାର । ଦିନେ ପରିବାର ପ୍ରତିପୋଷଣ ପାଇଁ ପର ଘରେ ମଜୁରି ଲାଗୁଥିଲେ । କାମ ନମିଳିଲେ ବେକାର ବସୁଥିଲେ । ଆଉ ଏବେ ସେ ଜଣେ ସଫଳ ଚାଷୀ । ଓଡ଼ିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେବକ’ ଜରିଆରେ ତାଲିମ ନେଇ ଚାଷ କାମରେ ସଫଳତା ପାଇଛନ୍ତି ମନୋଜ । ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ପାଖାପାଖି ଦେଢ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ ପ୍ରକାରର ପନିପରିବା ।

କଠିନ ପରିଶ୍ରମ କରି ପନିପରିବା ଚାଷ କରିବା ପରେ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି ବେଶ ଲାଭବାନ ହେଉଛନ୍ତି ମନୋଜ । ଅଫ୍ ସିଜନରେ ପନିପରିବା ଚାଷ କରି ବର୍ଷକୁ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠାରୁ ବଡକଥା ହେଉଛି ମାତ୍ର ୪୫ ଦିନରେ ସେ ଭେଣ୍ଡି, ଝୁଡୁଙ୍ଗ ଓ ବାଇଗଣ ବିକ୍ରି କରି ୨ଲକ୍ଷ୪୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି । ଏହାଦ୍ୱାରା ତାଙ୍କୁ ଆଉ ଅନ୍ୟ ପାଖରେ ମଜୁରି ଲାଗିବାକୁ ପଡୁନାହିଁ । ନିଜେ ଆତ୍ମନିର୍ଭର ହେବା ସହ ନିଜର ପରିବାର ସୁରଖୁରୁରେ ଚଳାଇପାରୁଛନ୍ତି ।

 

ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ଜମିରୁ ବାହାରୁଥିବା ପନିପରିବାର ଚାହିଦା ଅଧିକ ରହିଛି । ଲୋକେ ଖୁସିରେ ତାଙ୍କ ଠାରୁ କିଣି ନେଉଛନ୍ତି । ଚାଷ କରି ସଫଳତା ପାଇବା ପରେ ଅନ୍ୟ ମାନଙ୍କୁ ଚାଷକାମ କରି ଖୁସିରେ ରହିବାକୁ ଆହ୍ୱାନ ଦେଇଛନ୍ତି ମନୋଜ ।