ଏପ୍ରିଲ, ମେ’ ମାସର ଡହଡହ ଖରାରେ ଶୋଷିଲା ରହିବେନି ପଶୁ । ଗ୍ରୀଷ୍ମରେ ଗୋରୁଗାଈଙ୍କ ପାଇଁ ଆଗେଇ ଆସିଲା ମଣିଷ ।

156

କନକ ବ୍ୟୁରୋ: ଏପ୍ରିଲ ମାସର ଅସହ୍ୟ ତାତି, ମେ ମାସର ମୁଣ୍ଡଫଟା ଖରା । ସବୁଠି ଉତ୍ତପ୍ତ, ଅଣନିଶ୍ୱାସୀର ବାତାବରଣ । ଜୁଆଡେ ଚାହିଁଲେ ଖାଲି ନିଆଁ ଆଉ ନିଆଁ, ଗରମ ହିଁ ଗରମ । ଏହି ଖରାର ମୁକାବିଲା ପାଇଁ ମଣିଷ କେତେ କଣ କରୁଛି । ଘରେ ରହୁଛି, ଏସିରେ ଶୋଉଛି, ଫ୍ୟାନ ଚଲାଉଛି । ଆଉ ଶୋଷ ଲାଗିଲେ ପାଣି, ଲସି, ଥଣ୍ଡା ପାନୀୟ ପିଉଛି । ବାଟରେ ଗଲାବେଳେ ଯଦି ଅତି ଶୋଷ ହେଉଛି ତାହାଲେ ଆମେ ରାସ୍ତା କଡର ଟ୍ୟୁୱେଲରୁ ପାଣି ପିଇ ନିଜ ଶୋଷ ମେଣ୍ଟାଉଛେ । ହେଲେ ଥରେ ଭାବିଲେ ଏଇ ତତଲା ଖରାରେ ପଶୁଟିଏ କଣ କରୁଥିବ। ଡହଡହ ଖରାରେ କେମିତି, ଆଉ କେଉଁଠୁ ପାଣି ପିଉଥିବ ? ନିରୀହ ପଶୁ କେମିତି ନିଜ ଶୋଷ ମେଣ୍ଟାଉଥିବ? ନଈ, ନାଳ ତ ପୋତି ଗଲାଣି, ପୋଖରୀରେ ପାଣି ବି ଶୁଖି ଆସିଲାଣି ଏମିତି ସମୟରେ ଶୋଷ ହେଲେ ପଶୁଟି କଣ କରିବ ? ମଣିଷ ପରି ପାଟି ଖୋଲି କହିପାରୁ ନଥିବା ପଶୁଟି କେମିତି ବଞ୍ଚିବ… ?

ପଶୁପକ୍ଷୀଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନିଜ ମନ ଭିତରେ ଆଣି, ପଶୁଙ୍କ ପ୍ରାଣ ବଞ୍ଚାଇବାକୁ ଆଗେଇ ଯାଇଛି ଏକ ସ୍ୱେଚ୍ଛାସେବୀ ସଙ୍ଗଠନ । ପଶୁଙ୍କୁ ପାଣି ଟୋପେ ପିଆଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସଙ୍ଗଠନର ପ୍ରତିଟି କର୍ମକର୍ତ୍ତା । ଉଦେଶ୍ୟ ଗୋଟିଏ ଶୋଷିଲା ରହିବେନି ପଶୁ । ଖରା ସରିବା ଯାଏଁ ପଶୁଙ୍କ ଦାୟିତ୍ୱ ନେବ ନୂଆ ପ୍ରୟାସ । ସେଇଥିପାଇଁ ତ ବିଭିନ୍ନ ସ୍ଥାନରେ ପାଣି କୁଣ୍ଡର ବ୍ୟବସ୍ଥା କରିଛନ୍ତି ସଙ୍ଗଠନର ସଦସ୍ୟ ।

ତେବେ ସୋରୋ ଶିଙ୍ଗାଖୁଣ୍ଟା ପଞ୍ଚାୟତର ନୂଆ ପ୍ରୟାସ ସ୍ୱେଚ୍ଛାସେବୀ ସଙ୍ଗଠନ । ଦୀର୍ଘ ଚାରି ବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସମାଜର ହିତ ସାଧନ କରି ଆସିଛି । ରକ୍ତଦାନଠୁ ଆରମ୍ଭ କରି ବୃକ୍ଷରୋପଣ କରି ଆସୁଥିବା ନୂଆ ପ୍ରୟାସ ଏଥର ଗ୍ରୀଷ୍ମରେ ପଶୁଙ୍କ ପାଇଁ ନୂଆ ଉଦ୍ୟମ କରିଛି । ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଳକୁଣ୍ଡର ବ୍ୟବସ୍ଥା କରାଯାଇଛି । ଯେଉଁଠି ଯେଉଁଠି ଗଛ ଛାଇ ରହିଛି ଆଉ ଗୋରୁ ଗାଈଙ୍କ ଗହଳି ଲାଗୁଛି ସେଠି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନକୁ କୁଣ୍ଡ ନେଇ ସେଠାରେ ରଖାଯାଇ, ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଯିଏ କି ପ୍ରତିଦିନ ପଶୁଙ୍କ ପାଇଁ ପାଣି ଭରିବେ ଏବଂ କୁଣ୍ଡର ସଫା ଦାୟିତ୍ୱ ନେବେ ।

ଗ୍ରୀଷ୍ମଦିନେ ପଶୁଙ୍କ ପାଇଁ ଏହି ବ୍ୟବସ୍ଥା ଅନେକଙ୍କୁ ପ୍ରେରଣା ଦେଇଥିବା ବେଳେ ପରିବେଶ ଓ ଜୀବ ଜଗତ ପାଇଁ ଏହା ନିଆରା ପରିକଳ୍ପନା । ତେବେ ଏ ଖରାଟାରେ ଯଦି ଆମେ ପଶୁଙ୍କ କଥା ବୁଝିବାନି ତେବେ ସେମାନଙ୍କ କଥା ଆଉ କିଏ ବୁଝିବ । ତେଣୁ ଆସନ୍ତୁ ଗ୍ରୀଷ୍ମ ସରିବା ଯାଏଁ ନିଜ ନିଜ ଅଞ୍ଚଳରେ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ।