ଗୋରଖନାଥ ମନ୍ଦିର ଆକ୍ରମଣ ଘଟଣାରେ ନୂଆ ମୋଡ, ଆଇଏସଆଇଏସ ସହ ସଂପର୍କରେ ଥିଲା ଅଭିଯୁକ୍ତ ମୁର୍ତୁଜା

114

କନକ ବ୍ୟୁରୋ : ଗୋରଖପୁର ଠାରେ ଥିବା ଗୋରଖନାଥ ମନ୍ଦିର ନିକଟରେ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଏବେ ନୂଆ ମୋଡ ନେଇଛି । ଏହି ମାମଲାର ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ମୁର୍ତୁଜାର ସଂପର୍କ ଆଇଏସଆଇଏସ ସହ ଥିବା କଥା କହିଛନ୍ତି ଉତ୍ତର ପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର । ସେ କହିଛନ୍ତି କି ଆଇଏସଆଇଏସ ଆତଙ୍କବାଦୀ ମେହନ୍ଦୀ ମସୁଦ ସହ ମୁର୍ତୁଜାର ସଂପର୍କ ରହିଛି ।

ସୂଚନା ମୁତାବକ ଉତ୍ତର ପ୍ରଦେଶ ଏଡିଜି ଓ ଏଟିଏସ ଦ୍ୱାରା ମୁର୍ତୁଜାକୁ ପଚରା ଉଚରା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ମୁର୍ତୁଜା ସାମାଜିକ ଗଣମାଧ୍ୟମ ସହାୟତାରେ ଲଗାତର ଭାବେ ବିଦେଶରେ ରହୁଥିବା ଆଇଏସଆଇଏସ ଆତଙ୍କବାଦୀଙ୍କ ସହ ସଂପର୍କରେ ଥିଲା । ୨୦୧୪ ରେ ବେଙ୍ଗାଲୋର ପୋଲିସ ଦ୍ୱାରା ଗିରଫ ହୋଇଥିବା ଆଇଏସଆଇଏସ ଆତଙ୍କବାଦୀ ମେହନ୍ଦୀ ମସୁଦ ସହ ବିଶେଷ ସଂପର୍କରେ ମୁର୍ତୁଜା ରହିଥିବା କଥା ଏଡିଜି ପ୍ରଶାନ୍ତ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ୟୁପି ଏଟିଏସର ସୂଚନା ମୁତାବକ ମୁର୍ତୁଜା ଆଇଏସଆଇଏସ ସଂଗଠନ ସହ କାମ କରିବାକୁ ଶପଥ ନେବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଉଥିଲା । ମୁର୍ତୁଜା ଇଣ୍ଟରନେଟରେ ଏକେ-୪୭, ୫-୪ କାର୍ବାଇନ ସମେତ ଅନେକ ଅସ୍ତ୍ରଶସ୍ତ୍ର ବାବଦରେ ପଢାପଢି କରୁଥିଲା । ଏହାପରେ ସେ ଘରେ ରଖିଥିବା ଏୟାର ରାଇଫଲ ପ୍ରାକ୍ଟିସ କରିଥିଲା ।

 

କହିରଖୁ କି ଅହମଦ ମୁର୍ତୁଜା ଓୱାସୀ ଏପ୍ରିଲ ୩ ତାରିଖରେ ଜବରଦସ୍ତ ଗୋରଖନାଥ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହାକୁ ସେଠାରେ ଥିବା ଯବାନମାନେ ଅଟକାଇବାକୁ ଚେଷ୍ଟା କରିବା ବେଳେ ମୁର୍ତୁଜା ସେମାନଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଘଟଣାରେ ଗିରଫ ହୋଇ ମୁର୍ତୁଜା ଏବେ ଜେଲରେ ଅଛନ୍ତି ।