କଥା ରଖିଲେ କିନ୍ନର, ସାଜିଲେ ପରିବାର । ଅସହାୟ ଝିଅକୁ ବାହାଦେଇ ଗଢ଼ିଦେଲେ ନୂଆ ସଂସାର ।

627

କନକ ବ୍ୟୁରୋ: ଅସହାୟ ଝିଅକୁ ସାହା ହେଲେ କିନ୍ନର । ନିଜ ପେଟପଟଣାରୁ କାଟି ଗରିବ ଝିଅକୁ ବାହା କରାଇଛନ୍ତି କିନ୍ନର ସଂଘ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମନ୍ଦିର ବେଢ଼ାରେ ହାତଗଣ୍ଠି ପଡ଼ିଛି । ନବ ଦମ୍ପତିଙ୍କୁ ନିଜ ଝିଅ ଆଉ ଜ୍ୱାଇଁ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର କିନ୍ନର ସଂଘ । ଆଉ କିନ୍ନରମାନଙ୍କ ଏଭଳି ବଡ଼ପଣକୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି ।

ଯାଜପୁର ପୌରପାଳିକା ନିବାସୀ ହେଉଛନ୍ତି ରଶ୍ମି । ବାପା ଆରପାରିକୁ ଚାଲିଯିବା ପରେ ମା’ ଝିଅଙ୍କ ଉପରେ ଗରିବୀ ଭାରି ପଡ଼ିଥିଲା । ଝିଅର ବିବାହ ବୟସ ହୋଇଯିବାରୁ କାହା ଆଗରେ ହାତ ପତାଇବେ ଭାବି ଭାବି ଶେଷରେ କିନ୍ନର ସଂଘକୁ ନିଜ ଦୁଃଖ ଜଣାଇଥିଲେ ରଶ୍ମିଙ୍କ ମା’ । ଆଉ ଯାଜପୁର କିନ୍ନର ସଂଘ ରଶ୍ମିଙ୍କ ବିବାହର ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଦଶରଥପୁର ବ୍ଲକ ଅଞ୍ଚଳର ଜଗନ୍ନାଥ ସାହୁଙ୍କ ସହ ରଶ୍ମିଙ୍କ ବିବାହ ସମ୍ପନ୍ନ କରାଇଛନ୍ତି କିନ୍ନର ସଂଘ ।

ସବୁଠାରୁ ବଡ଼କଥା ହେଲା ନିଜ ପେଟପାଟଣାରୁ ବିବାହର ସମସ୍ତ ଖର୍ଚ୍ଚ ବହନ କରି ଗରିବ ଝିଅର ନୂଆ ସଂସାର ଗଢ଼ିଛନ୍ତି କିନ୍ନର ସଂଘ । ସ୍ଥାନୀୟ ଯୁବନେତା ପ୍ରକାଶ ପୁହାଣ ମଧ୍ୟ କିନ୍ନରମାନଙ୍କ ସହ ମିଶି ଆର୍ଥିକ ସହାୟତା କରି ଏହି ବିବାହକୁ ସମ୍ପନ୍ନ କରାଇଛନ୍ତି । ନବ ଦମ୍ପତିଙ୍କ ମୁଣ୍ଡରେ ଶାଢ଼ି ରଖି ସାତ ଜନ୍ମ ପାଇଁ ସାଥୀ ରହିବାକୁ ଆଶୀର୍ବାଦ ଦେଇଛନ୍ତି କିନ୍ନର ସଂଘ ।

ସତରେ ଯେଉଁ ସମାଜରେ କିନ୍ନର ମାନଙ୍କୁ ନେଇ ଆଜି ବି ସମାଜରେ ଏକ ତୁଚ୍ଛ ଧାରଣା ରହିଛି, ସେଭଳି ଚିନ୍ତାଧାରା ଉପରେ କିନ୍ନରମାନଙ୍କ ଏଭଳି ବଡ଼ପଣ ଭାରି ପଡ଼ିଛି । ଜଣେ ଅସହାୟ ଝିଅକୁ ସାହା ହୋଇ ତାକୁ ନୂଆ ସଂସାର ଗଢ଼ି ତୋଳିଦେବା କିଛି ଛୋଟ କଥା ନୁହେଁ । କିନ୍ନରମାନଙ୍କ ରୋଜଗାର ଯେତିକି ବି ହେଉ କିନ୍ତୁ ସହାୟତା ମନୋଭାବରେ ସବୁଠୁ ଆଗରେ ।