ଆଇସିସି ଟେଷ୍ଟ ରାଙ୍କି: ଟପ୍-୫ରେ ବଡ ଅଦଳବଦଳ । ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ।

331

କନକ ବ୍ୟୁରୋ: ଆସିଲା ଆଇସିସି ଟେଷ୍ଟ ରାଙ୍କିର ତାଜା ରିପୋର୍ଟ । ଆସେସ୍ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ପରେ ଆଇସିସି ଏହି ତାଜା ରାଙ୍କି ପ୍ରକାଶ କରିଛି । ତେବେ ଆଇସିସି ଟେଷ୍ଟ ରାଙ୍କିରେ ଟପ୍-୫ ତାଲିକାରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ନିଜ ଦଳର ଖେଳାଳି ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁୁସେନଙ୍କ ପଛରେ ପକାଇ ଟେଷ୍ଟ ରାଙ୍କିର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କି ।

ଅନ୍ୟପଟେ ଆଇସିସି ଟେଷ୍ଟ ରାଙ୍କିରେ କେନ୍ ୱିଲିୟମସନ୍ ନମ୍ବର ଏକ ପୋଜିସନରେ ଥିବାବେଳେ, ଟ୍ରାଭିସ୍ ହେଡ୍ ଦ୍ୱିତୀୟ ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମ୍ ୩ୟ ସ୍ଥାନରେ ରହିଛନ୍ତି । ଏହା ପଛକୁ ଦୁଇ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁସେନ୍ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ନୂଆ ତାଲିକାରେ ଟ୍ରାଭିସ୍ ହେଡ୍ ଦୁଇଟି ସ୍ଥାନ ଉପରକୁ ଉଠିଥିବାବେଳେ, ବାବର ଆଜମ ୩ଟି ସ୍ଥାନ ଉପରକୁ ଉଠିଛନ୍ତି । ହେଲେ ଦୁଇ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଏବଂ ଲାବୁସେନ୍ ଦୁଇଟି ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି ।

ସେପଟେ ଟେଷ୍ଟ ବୋଲିଂ ଏବଂ ଅଲରାଉଣ୍ଡର ତାଲିକାର ନମ୍ବର ଏକ ସ୍ଥାନରେ ଦୁଇ ଭାରତୀୟ ଖେଳାଳି ରହିଛନ୍ତି । ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନୀ ଏକ ନମ୍ବର ସ୍ଥାନରେ ରହିଥିବାବେଳେ, ଅଲରାଉଣ୍ଡରରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ବ୍ୟତୀତ ଜସପ୍ରୀତ ବୁମରା ଏବଂ ଜାଡେଜା ବୋଲିଂ ତାଲିକାର ଟପ୍-୧୦ ଭିତରେ ଥିବାବେଳେ, ଅଲରାଉଣ୍ଡର ତାଲିକାର ଟପ୍-୧୦ ଭିତରେ ଜାଡେଜାଙ୍କ ସହିତ ଅଶ୍ୱିନୀ, ଅକ୍ଷର ପଟେଲ ରହିଛନ୍ତି ।