ନିର୍ବାଚନ ତାରିଖ ଘୋଷଣା ହେବାପରେ ଯୋଗୀଙ୍କ ପାଇଁ ରିଟର୍ନ ଟିକେଟ୍ ବୁକ୍ କଲେ ସପା ନେତା, କହିଲେ ଏଭଳି କଥା

298

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଚାର ସଂହିତ ଲାଗିବା ପରେ ସବୁ ରାଜନୈତିକ ଦଳର ନେତାମାନେ ଆକ୍ଟିଭ ମୋଡକୁ ଆସିଛନ୍ତି । ଜଣେ ଅନ୍ୟଜଣଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି କ୍ରମରେ ବିଜେପିର ପୂର୍ବତନ ପ୍ରବକ୍ତା ତଥା ବର୍ତମାନ ସମାଜବାଦୀ ପାର୍ଟିର ନେତା ଆଇପି ସିଂ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଛନ୍ତି ଯାହାକି ବିଜେପି ପାଇଁ ବଡ ଝଟକା ବୋଲି କୁହାଯାଉଛି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଇପି ସିଂ ୟୁପି ଆଦିତ୍ୟନାଥଙ୍କ ପାଇଁ ଲକ୍ଷ୍ନୌରୁ ଗୋରଖପୁର ପର୍ଯ୍ୟନ୍ତ ରିଟର୍ନ ରେଳ ଟିକେଟ କାଟି ଦେଇଛନ୍ତି । ଏହି ଟିକେଟ ୧୧ ମାର୍ଚ୍ଚ ପାଇଁ କଟାଯାଇଛି । ଏନେଇ ସପା ନେତା ଆଇପି ସିଂ ଦାବି କରିଛନ୍ତି କି ମାର୍ଚ୍ଚ ୧୦ ତାରିଖରେ ୟୁପି ନିର୍ବାଚନର ଫଳାଫଳ ସମାଜବାଦୀ ପାର୍ଟି ସପକ୍ଷରେ ଆସିବ । ଏହାପରେ ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ବି ପଚାରିବ ନାହିଁ । ତେଣୁ ସେ ତୁରନ୍ତ ଲକ୍ଷ୍ନୌ ଛାଡି ଗୋରଖପୁର ଜିବାକୁ ବାଧ୍ୟ ହେବେ ।

ଟ୍ୱିଟରରେ ଆଇପି ସିଂ ଏକ ଫଟୋ ପୋଷ୍ଟ କରି କହିଛନ୍ତି କି “ମାର୍ଚ୍ଚ ୧୦ ତାରିଖ ଜନତାଙ୍କ ଦିନ ହେବ,ଳ ମାର୍ଚ୍ଚ ୧୦ ତାରିଖରେ ସତ୍ୟର ସୂର୍ଯ୍ୟ ଉଦୟ ହେବ ଓ ସମାଜବାଦୀ ପାର୍ଟି ବହୁମତ ସହ ୟୁପିରେ ସରକାର ଗଠନ କରିବ । ଏହି କାରଣରୁ ମୁଁ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଲକ୍ଷ୍ନୌରୁ ଗୋରଖପୁର ରିଟର୍ନ ଟିକେଟ ୧୧ ମାର୍ଚ୍ଚ ପାଇଁ ବୁକିଂ କରିଦେଇଛି । ” ଏହି ଟିକେଟକୁ ସାଇତି ରଖିବା ପାଇଁ ସେ ଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି ।