ଭୁବନେଶ୍ୱରରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ଦେଖି ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କଲା ବିଏମସି ।

126

କନକ ବ୍ୟୁରୋ: ରାଜ୍ୟରେ କରୋନା ମିଟର ଉପରମୁହାଁ ରହିଛି । ଦିନକରେ ରାଜ୍ୟରେ ୪୭୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ । ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ପ୍ରାୟ ୩୦ ପ୍ରତିଶତ  । ଖୋର୍ଦ୍ଧାରୁ ଆଜି ସର୍ବାଧିକ ୧୬୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଳାରେ ସଂକ୍ରମଣ ବଢ଼ୁଥିବାବେଳେ ସତର୍କ ହୋଇଛି ବିଏମସି । ବିଶେଷକରି ଭୂବନେଶ୍ୱର ସହରାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବାବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି କରିଛି ଚୁକ୍ତିନାମା । କିମ୍ସ କୋଭିଡ ହସ୍ପିଟାଲରେ ୫ ଶହ ଓ ହାଇଟେକ କୋଭିଡ୍ ହସ୍ପିଟାଲରେ ୨୩୯ ଶଯ୍ୟା ସହିତ ଭୁବନେଶ୍ୱରର କୋଭିଡ୍ ହସ୍ପିଟାଲ  ବେଡ୍ ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ କୋଭିଡ୍ ହସ୍ପିଟାଲରେ ୮୧୦  ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟା ଉପଲବ୍ଧ ହେଉଥିଲା । ଏଥିସହ ବିଏମସି ପକ୍ଷରୁ ପଟିଆ ଓ ଡୁମଡୁମାରେ ଶହେ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍ କେୟାର ସେଣ୍ଟର ଖୋଲା ଯାଇଛି । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।