ଖେଳାଳିଙ୍କୁ ଦେଖିବାକୁ ସାପ ପଡିଆକୁ ଆସିଥିଲା । ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ମଝିରେ ସାପ ପଶିବା ଘଟଣାକୁ ନେଇ ଏମିତି କହିଲେ ଆସାମ କ୍ରିକେଟ୍ ଆସୋସିଏସନର ସଚିବ…

140

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଗତ ରବିବାର ଦିନ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତର ଦମଦାର ବ୍ୟାଟିଂ କରିବା ସହିତ ୧୬ ରନରେ ମ୍ୟାଚ୍ ଜିତିନେଇଥିଲା । ତେବେ ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଖେଳ ମଝିରେ ପଡିଆ ଭିତରକୁ ଏକ ସାପ ପଶି ଆସିଥିଲା । ଯେଉଁ କାରଣରୁ ମ୍ୟାଚକୁ ଅଧାରୁ ରୋକିବାକୁ ପଡିଥିଲା ।
ତେବେ ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିବାବେଲେ, ଅଷ୍ଟମ ଓଭରରେ ଏକ ସାପକୁ ପଡିଆ ଭିତରେ ଦେଖିବାକୁ ମିଳିଥିଲା । ଏହାପରେ ଖେଳକୁ ରୋକାଯିବା ସହିତ ତୁରନ୍ତ ସାପକୁ ଧରି, ପଡିଆ ବାହାରକୁ ନିଆଯାଇଥିଲା । ଏବେ ଏହି ସାପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆସାମ କ୍ରିକେଟ୍ ଆସୋସିଏସନର ସଚିବ ।

ଏସିଏର ସଚିବ ଦେବଜିତ ସୌକିୟା ଏ ସମ୍ପର୍କରେ ବୟାନ ରଖି କହିଛନ୍ତି, ସାପ ମ୍ୟାଚ୍ ଉପଭୋଗ କରିବାକୁ ଆସିଥିଲା । ଖେଳାଳିମାନଙ୍କୁ ପାଖରୁ ଦେଖିବାକୁ ପଡିଆରେ ପଶିଥିଲା । ହେଲେ ତାକୁ ଧରି ଷ୍ଟାଡିୟମ ବାହାରକୁ କରିଦେଲେ । ଯେଉଁଥିପାଇଁ ସାପ ଦୁଃଖିତ ହେଲା । ତେବେ ତାଙ୍କର ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସୂଚନାଯୋଗ୍ୟ ଯେ, ଭାରତ-ଦକ୍ଷିଣ ଆଫ୍ରିକା ଭିତରେ ଏବେ ଟି-୨୦ ସିରିଜ୍ ଜାରି ରହିଛି । ପ୍ରଥମ ଦୁଇଟି ଟି-୨୦ରେ ଭାରତ ଜିତାପଟ ହାସଲ କରିବା ସହିତ ଆଗୁଆ ସିରିଜ୍ କବଜା କରିଛି ।