ଶ୍ରଦ୍ଧା ମର୍ଡର କେସ୍ : ଉଚ୍ଚଶିକ୍ଷା ପଢିବ ଅଭିଯୁକ୍ତ ଆଫତାବ୍ । ଅଦାଲତରେ କଲା ଆବେଦନ ।

138

କନକ ବ୍ୟୁରୋ: ଉଚ୍ଚଶିକ୍ଷା ପଢିବ ଦିଲ୍ଲୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଫତାବ୍ ପୁନାୱାଲା । ତିହାଡ ଜେଲରେ ବନ୍ଦୀ ଥିବା ଏହି ଅଭିଯୁକ୍ତ ଏଥିପାଇଁ ସାକେତ କୋର୍ଟରେ ଆବେଦନ କରିଛି । କୋର୍ଟଙ୍କ କହିବା କଥା, ଆଫତାବ୍ ଆଗକୁ ନିଜର ପାଠପଢା ଜାରି ରଖିବାକୁ ଚାହୁଁଛି । ଏଥିପାଇଁ ସେ ପେନସିଲ୍, ନୋଟବୁକ୍ ପାଇଁ ଅନୁରୋଧ କରିଛି । ଏହାକୁ ନେଇ ସେ ନୋଟ୍ ପ୍ରସ୍ତୁତ କରିବା ସହ ନିଜର ଉଚ୍ଚଶିକ୍ଷା ଶେଷ କରିବ ବୋଲି ଅନୁରୋଧ କରିଛି ।

ଅନ୍ୟପଟେ ଆଫତାବ୍ ଦିଲ୍ଲୀ ପୋଲିସ ନିକଟରେ ନିଜ ଚାର୍ଜସିଟର ଏକ ସଫ୍ଟ କପି ପାଇବାକୁ ଆବେଦନ କରିଛି । ଆଫତାବଙ୍କ ଓକିଲଙ୍କ କହିବା କଥା, ତାଙ୍କୁ ଇ-ଚାର୍ଜସିଟ୍ ଦିଆଯାଇଛି, ହେଲେ ଏହା ପଢିବା ଯୋଗ୍ୟ ନୁହେଁ । ଏହି କାରଣରୁ ଚାର୍ଜସିଟର ସଫ୍ଟ କପି ଦେବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ପୋଲିସ ଆଫତାବ୍ ପୁନାୱାଲା ବିରୋଧରେ ୬୬୨୯ ପୃଷ୍ଠାର ଚାର୍ଜସିଟ୍ ଦାୟର କରିଥିଲା । କୋର୍ଟ ଫେବ୍ରୁଆରୀ ୭ ତାରିଖରେ ଆଫତାବ୍ ପୁନାୱାଲା ବିରୋଧରେ ଦିଆଯାଇଥିବା ଚାର୍ଜସିଟକୁ ସଂଜ୍ଞାନକୁ ନେଇଥିଲା । ତେବେ ଏହାପରେ ଏହି ଦସ୍ତାବିଜର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ଜାଣିରଖିବା ଉଚିତ୍ ଯେ, ୨୦୨୨ ମସିହା ମେ ମାସ ୧୮ ତାରିଖରେ ନିଜ ଲିଭ୍-ଇନ୍ ରିଲେସନସିପରେ ଥିବା ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ୱାକରକୁ ହତ୍ୟା କରିଥିଲା ଆଫତାବ୍ । ଏହାପରେ ଶବକୁ ୩୫ ଖଣ୍ଡ କରିବା ସହିତ ଏହାକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲା । ତେବେ ଏହାପରେ ଏହି ଖଣ୍ଡ ଖଣ୍ଡ ଶରୀରର ପ୍ରମାଣ ନଷ୍ଟ କରିବାକୁ ଏହାକୁ ଦୂରରେ ଦୂରରେ ଫିଙ୍ଗିବା ଆରମ୍ଭ କରିଥିଲା ବୟଫ୍ରେଣ୍ଡ ଅଫତାବ୍ । ଏହି ମାମଲାରେ ପୋଲିସ ଗତ ବର୍ଷ ନଭେମ୍ବର ମାସରେ ଆଫତାବକୁ ଗିରଫ କରିଥିଲା ।