କେତେ ନିର୍ଲଜ…ପୂର୍ବ ଜଜଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ନେଇ ଏମିତି କହିଲେ ମହୁଆ ମୈତ୍ର । 

686

କନକ ବ୍ୟୁରୋ: ତୃଣମୂଳ ସାଂସଜ ମହୁଆ ମୈତ୍ର ସୋମବାର ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟାଧୀଶ ଏସ ଅବଦୁଲ ନଜୀରଙ୍କୁ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ରୂପେ ନିଯୁକ୍ତିକୁ ନିନ୍ଦା କରିଛନ୍ତି । ପୂର୍ବ ଜଜ ଏହାକୁ ଗ୍ରହଣ କରିବାକୁ ଲଜ୍ଜାଜନକ ବୋଲି ସେ କହିଛନ୍ତି । ଜଷ୍ଟିସ ନଜିର ଅବସର ନେବାର ୪୦ ଦିନ ପରେ ହିଁ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏହାକୁ ନେଇ ବର୍ତ୍ତମାନ ସମୟରେ ବଡ ବିବାଦ ଦେଖାଦେଇଛି । ସେ ସେହି ପାଞ୍ଚ ଜଣିଆ ଖଣ୍ଡପୀଠର ଅଂଶ ଥିଲେ ଯେଉଁ ଖଣ୍ଡପୀଠ ୨୦୧୯ ନଭେମ୍ବରରେ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ନିଷ୍ପତ୍ତି ଶୁଣାଇଥିଲେ । ଏହାକୁ ନେଇ ମହୁଆ ଏବଂ କଂଗ୍ରେସ ନେତା ସରକାରଙ୍କ ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛନ୍ତି ।

ଜଷ୍ଟିସ ନଜୀର ସେହି ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିଲେ ଯେଉଁ ଖଣ୍ଡପୀଠ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ନୋଟବନ୍ଦୀକୁ ଠିକ୍ ଦର୍ଶାଇଥିଲେ । ଏହା ସହ ସେ ସମ୍ବିଧାନର ଧାରା୧୯(୧)(ଏ)କୁ ନେଇ ଫଇସଲା ଶୁଣାଇଥିବା ଖଣ୍ଡପୀଠରେ ମଧ୍ୟ ରହିଥିଲେ ।

ମହୁଆ ଟ୍ୱିଟ କରି ଲେଖିଛନ୍ତି ଯେ, ଆଉ ଜଣେ ସୁପ୍ରିମକୋର୍ଟର ଜଜଙ୍କୁ ଅବସର ପରେ ନୂଆ ନିଯୁକ୍ତି ମିଳିଛି । ମାତ୍ର ୨ ମାସ ବି ହୋଇନାହିଁ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ବହୁ ସଂଖ୍ୟକ ସରକାରଙ୍କ କୈøଣସି ଚିନ୍ତା ନାହିଁ କିନ୍ତୁ ଆପଣ ଏହାକୁ ଗ୍ରହଣ କରି ନିଜକୁ ଲଜ୍ଜିତ କରିଛନ୍ତି । କେବଳ ଟିଏମସି ନୁହେଁ କଂଗ୍ରେସ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରିଛନ୍ତି । ସେ ଅରୁଣ ଜେଟଲୀଙ୍କ ଗୋଟିଏ ପୁରୁଣା ଭିଡିଓ ସେୟାର କରିଛନ୍ତି । ୨୦୧୨ ମସିହାର ଏହି ଭିଡିଓରେ ଅରୁଣ ଜେଟଲୀ କହୁଛନ୍ତି ଜଜମାନଙ୍କ ଅବସର ନେବା ପୂର୍ବର ନିଷ୍ପତ୍ତି ଅବସର ପରର ଚାକିରୀକୁ ପ୍ରଭାବିତ କରିଥାଏ ।