ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟକୁ କେମିତି ଏକ ନମ୍ବର କରିବେ ତାହା ଶିଖିକି ଯାଆନ୍ତୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ବାଲିକୁଦା-ଏରସମାରୁ ପାଣ୍ଡିଆନଙ୍କ ଟାର୍ଗେଟ ।

204

କନକ ବ୍ୟୁରୋ : ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପିକୁ କଡା ଟାର୍ଗେଟ କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପରିବାର ବୋଲି ଭାବନ୍ତି । ଏହି ପରିବାରର ମୁଖିଆଙ୍କୁ ବାହାରୁ ଆସିଥିବା ନେତା ଅସମ୍ମାନିତ କରୁଛନ୍ତି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନିତ କରୁଛନ୍ତି ଏବଂ ଅଶାଳୀନ ବ୍ୟବହାର କରୁଛନ୍ତି । ଏମାନଙ୍କୁ ଜୁନ୍ ୪ ତାରିଖରେ ଉଚିତ୍ ଜବାବ ମିଳିଯିବ ।

ଆସାମ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ । କିନ୍ତୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର, ସେ ଓଡ଼ିଶାକୁ ଏକ ନମ୍ବର କରିବେ । ଋଣ ଭାରରେ ବୁଡିଥିବା ଉତ୍ତରପ୍ରଦେଶ, ଛତିଶଗଡ, ଆସାମ ଭଳି ରାଜ୍ୟ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । ରାଜ୍ୟକୁ କେମିତି ଏକ ନମ୍ବର କରାଯାଏ ତାହା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିକି ଯାଆନ୍ତୁ କାମରେ ଆସିବ । ଯେତେ ଇଞ୍ଜେକସନ ଦେଲେ ବି ଓଡ଼ିଶାରେ ଫୁଲ ଫୁଟିବନି ବୋଲି କହିଛନ୍ତି ପାଣ୍ଡିଆନ ।

ଏହାସହ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆଗାମୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ ନେଇ ମୋହର ମାରିବେ ନବୀନ । ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଯୋଡି ଶଙ୍ଖରେ ମୋହର ମାରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।