ଶିଳ୍ପ ମାନଚିତ୍ରରେ ସ୍ଥାନ ପାଇବ କେନ୍ଦ୍ରାପଡ଼ା । ନିପନ ଷ୍ଟିଲ ପ୍ଲାଣ୍ଟ କାରଖାନା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି 

3,816

କନକ ବ୍ୟୁରୋ: ଶିଳ୍ପ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ସୃଷ୍ଟି କରିବ ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆର୍ସେଲର ମିତଲ ନିପନ୍ ଷ୍ଟିଲ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରତିଷ୍ଠା ହେବାକୁ ଥିବା ଇସ୍ପାତ କାରଖାନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରସ୍ତାବିତ ଇସ୍ପାତ କାରଖାନା ନିକଟକୁ ରାସ୍ତା, ବିଜୁଳି ଓ ପାଣି ଯୋଗାଇଦେବା ପାଇଁ ଭିତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ପ୍ରସ୍ତାବିତ ଇସ୍ପାତ କାରଖାନା ଅଞ୍ଚଳକୁ ବାରମ୍ବାର ଗସ୍ତ କରୁଛନ୍ତି କମ୍ପାନୀ କର୍ତୃପକ୍ଷ । ନୂଆ ଶିଳ୍ପ କାରଖାନା ପ୍ରତିଷ୍ଠାକୁ ନେଇ ସମଗ୍ର କେନ୍ଦ୍ରାପଡ଼ା ଅଞ୍ଚଳରେ ନୂଆ ଆଶା ସଞ୍ଚାର ହୋଇଛି ।

ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପାଇଁ ପ୍ରାୟ ୧୦ ହଜାର ୪୪୧ ଏକର ଜମିର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ବତୀଘର ପଞ୍ଚାୟତର ବଡ଼ଟୁବି, ବରକୋଳିଖଳା, ବତୀଘର, ଯୋଗୀଧାନକୁଦ, ସରଳିକୁଦ, ନିପାଣିଆ ଓ ବନବିହାରିପୁର ଅଞ୍ଚଳର ୨ହଜାର ୨୪୪ ଏକର ଖରିନାସୀ ପଞ୍ଚାୟତର ୧୮ଶହ ୬୩ ଏକର ଓ ରାମନଗର ପଞ୍ଚାୟତର ୩୧୦ ଏକର ଜମିକୁ ମିଶାଇ ପ୍ରାୟ ୪ହଜାର ୪୪୧ ଜମି ପ୍ରଥମ ପର୍ଯ୍ୟାୟରେ ଅଧିଗ୍ରହଣ ହେବା ନେଇ ସୂଚନା ମିଳିଛି । ବାକି ୬ ହଜାର ଏକରରୁ ଉଦ୍ଧ୍ୱର୍ ଜମି ଅଧିଗ୍ରହଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ୍ଷେପ ନିଆଯିବ ବୋଲି ଯୋଜନା ରହିଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ହେବ ଜମିଜମା ସମସ୍ୟା ରହିଥିବାରୁ ଖରିନାସୀ ହରିଆବାଙ୍କ ଠାରେ ମାଟି ପରୀକ୍ଷା ପାଇଁ ଆସିଥିବା ଟିମକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ମାଟି ପରୀକ୍ଷା ହୋଇପାରିନାହିଁ । ଏପଟେ ଶିଳ୍ପ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପ୍ରକିୟା ।