ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲା: ଅପହରଣକାରୀର ଧମକଭରା ଅଡିଓ ଭାଇରାଲ

589

କନକ ବ୍ୟୁରୋ: ଝାରସୁଗୁଡାର ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରୱାଲ ଓ ହତ୍ୟା ମାମଲାର ଅପହରଣକାରୀଙ୍କ ଧମକପୂର୍ଣ୍ଣ ଅଡିଓ ସାମ୍ନାକୁ ଆସିଛି । ସାଂଘାତିକ କଥା ହେଉଛି ଯେଉଁଦିନ ବରଗଡରେ ପୁଲିସ ସମର୍ଥଙ୍କ ମୃତଦେହ ଜବତ କରିଥିଲା, ସେହି ଦିନ ରାତିରେ ସମର୍ଥକଙ୍କ ବାପାଙ୍କୁ ଫୋନ କରି ଟଙ୍କା ମାଗିଥିଲା ଦୁର୍ବୃତ । ଅର୍ଥାତ୍ ସମର୍ଥକୁ ମାରିଦେବା ପରେ ବି ମିଛ ମୁଣ୍ଡଜାମିନର ବାହାନା କରି ଟଙ୍କା ପାଇଁ ଧମକ ଦେଉଥିଲା ମୁଖ୍ୟ ଅଭିଯୁକ୍ତ ।

୨୮ ମାର୍ଚ୍ଚ ବିଳମ୍ବିତ ରାତି
ଫୋନ କରି ଧମକ ଦେଲା ଦୁର୍ବୃତ
ମାର୍ଚ୍ଚ ୨୮ ତାରିଖରେ ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଫୋନ କରି ହତ୍ୟା ଧମକ ଦେଇଥିଲା ଦୁର୍ବୃତ । ପୁଅକୁ ଦେଖିବାକୁ ଚାହୁଁଥିଲେ ୯୦ଲକ୍ଷ ଟଙ୍କା ଶୀଘ୍ର ଦେବା ପାଇଁ ସୁନୀତ ଅଗ୍ରୱାଲଙ୍କୁ ଧମକ ଦେଇ କହିଥିଲା ଅପହରଣକାରୀ ।

ଅପହରଣକାରୀର ଫୋନ ଆସିବା ପରେ ସୁନୀତ ଅଗ୍ରୱାଲ କଣ କରିବେ କିଛି ବୁଝି ପାରୁନଥିବା ବେଳେ ପୁଣି କିଛି ସମୟର ବ୍ୟବଧାନରେ ଆସିଥିଲା ଫୋନ କଲ । ଏଥର ଅପହରଣକାରୀ ସୁନୀତଙ୍କୁ ଧମକ ଦେଇଥିଲା । ଅପହରଣ ବାବଦରେ କାହିଁକି ସମସ୍ତଙ୍କୁ କହିବୁଲୁଛ କହି ଚେତାବନୀ ଦେଇଥିଲା ।

ସୂଚନା ଅନୁସାରେ ସମର୍ଥକଙ୍କୁ ଅପହରଣ କରିବା ପରେ ପ୍ରଥମେ ୫୦ ଲକ୍ଷ ଟଙ୍କା ମାଗିଥିଲା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ହେଲେ ଟଙ୍କା ନ ମିଳିବାରୁ ସମର୍ଥକୁ ନିର୍ମମ ଭାବେ ହତ୍ୟା କରି ବରଗଡରେ ଫିଙ୍ଗିଦେଇଥିଲେ ଦୁଇ ଦୁର୍ବୃତ । ପୁଣି ସମର୍ଥଙ୍କ ବାପାଙ୍କୁ ଫୋନ କରି ୯୦ ଲକ୍ଷ ଟଙ୍କା ବଟି ମାଗିଥିଲା ଅମିତ । ଧମକପୂର୍ଣ୍ଣ ଫୋନ କଲ କଲା ବେଳେ ପୁଲିସ ହାତରେ ଧରା ପଡିଯିବ ବୋଲି ସେ ସ୍ୱପ୍ନରେ ଭାବିନଥିଲା । ହେଲେ ପୁଲିସ ସମର୍ଥ ଅପହରଣ ଓ ହତ୍ୟା ମାମଲାରେ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ଗିରଫ କରି ତଦନ୍ତ ଚଲାଇଛି ।