ଦଣ୍ଡନାଚରେ ସେଲିବ୍ରିଟିଙ୍କ ପାଇଁ ଗଣ୍ଡଗୋଳ । ରାଣୀ ପଣ୍ଡା ଯାଇଥିବା ଗଞ୍ଜାମ ଭଞ୍ଜନଗରରେ ଉତ୍ତେଜନା, ଦୁଇ ଗୋଷ୍ଠି ପିଟାପିଟି ।

322

କନକ ବ୍ୟୁରୋ: ଦଣ୍ଡନାଚରେ ସେଲିବ୍ରେଟିଙ୍କ ପାଇଁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ରାଣୀପଣ୍ଡାଙ୍କୁ ଦେଖିବା ପାଇଁ ଠେଲାପେଲା ପରେ ମାରପିଟ ଭଳି ଘଟଣା ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଯୋଗୁଁ ଏକାଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଜାଗର ଯାତ୍ରା ସମୟରେ ହାସ୍ୟ ଅଭିନେତା ପପୁ ପମପମଙ୍କ ମଞ୍ଚ ଉପରେ ପଥର ମାଡ ହୋଇଥିଲା । ଆଉ ଏସବୁ ଭିତରେ ଆଜି ବ୍ରହ୍ମପୁର ଯାଉଛନ୍ତି ନିଶା ମହାରଣା ।

  • ମଞ୍ଚ ଉପରେ ରାଣୀ ପଣ୍ଡା
  • ରାଣୀଙ୍କୁ ଦେଖିବାକୁ ଠେଲାପେଲା
  • ଠେଲାପେଲାକୁ ନେଇ ମାରପିଟ୍

ଭଞ୍ଜନଗର ଭେଜିପୁଟରେ ଚାଲିଥିଲା ପଞ୍ଚୁଦଣ୍ଡ । ଯାତ୍ରା ଦେଖିବା ପାଇଁ ଲାଗିଥିଲା ଶହ ଶହ ଲୋକଙ୍କ ଭିଡ଼ । ପଞ୍ଚୁଦଣ୍ଡ ପ୍ରତିଯୋଗିତା ପାଇଁ ବିଭିନ୍ନ ସାହି ମଧ୍ୟରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଉ ଠିକ୍ ଏହି ସମୟରେ ମଞ୍ଚ ଉପରେ ଚଢ଼ିଥିଲେ ଚର୍ଚ୍ଚିତ କଳାକାର ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଉତ୍ସାହ ଭିତରେ କେତେବେଳେ ଠେଲାପେଲା ଆରମ୍ଭ ହୋଇଗଲା, ତାହା ଜାଣି ବି ହେଲାନାହିଁ । ଆଉ ଏହି ଠେଲାପେଲା ପାଇଁ ମାରପିଟ୍ ଭଳି ଘଟଣା ସାମ୍ନାକୁ ଆସିଛି ।

  • ଠେଲାପେଲାକୁ ନେଇ ଗୋଷ୍ଠୀ ସଂଘର୍ଷ
  • ଦୁଇ ଗୋଷ୍ଠୀର ବିବାଦରେ ଏକାଧିକ ଆହତ

ଠେଲାପେଲା ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଗୋଷ୍ଠୀ ସଂର୍ଘଷରେ ବ୍ୟାପକ ଭଙ୍ଗାରୁଜା ସହ ସେଠାରେ ଉପସ୍ଥିତ ଥିବା ଲୋକେ ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ଗୋବରା, ତୁରୁମ ଓ ନୂଆଁ ମହୁଲିଆରେ ରକ୍ତାକ୍ତ ସଂର୍ଘଷ ହୋଇଥିବା ଜଣାପଡ଼ିଛି । ଅପରପକ୍ଷେ ଦଣ୍ଡ ଯାତ୍ରାରେ ଅଶ୍ଳିଳ ନୃତ୍ୟ ପରିବେଷଣ ନହେବା ପାଇଁ ସ୍ଥାନୀୟ କମିଟି ଗୁଡ଼ିକଙ୍କ ସହ ପୁଲିସ ଆଲୋଚନା କରିଛି । ଏପଟେ ଆଜି ବ୍ରହ୍ମପୁର ଆଙ୍କୁଳି ଯାଉଛନ୍ତି, ଚର୍ଚ୍ଚିତ କଳାକାର ନିଶା ମହାରଣା । ନିଶା ମହାରଣାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ଯାହାର ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ନିଶା ।

  • ଜାଗରଯାତ୍ରା ପରେ ଦଣ୍ଡଯାତ୍ରା
  • ଜାଗର ଯାତ୍ରରେ ପପୁଙ୍କୁ ହୋଇଥିଲା ପଥର ମାଡ଼
  • ଏବେ ଦଣ୍ଡ ଯାତ୍ରାରେ ମାରପିଟ୍ ଅଭିଯୋଗ

ଗତ ଫେବୃୟାରୀ ମାସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଅଭିନେତା ପପୁ ପମପମଙ୍କ ଉପରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗଞ୍ଜାମ ଚିକିଟି ବ୍ଲକ୍ ସୁରଳ ଗାଁରେ ଜାଗରଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଇଥିଲେ ପପୁ ପମପମ । ଏହି ସମୟରେ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା । ତେବେ ମାତ୍ର କିଛି ଇଞ୍ଚର ବ୍ୟବଧାନରେ ବର୍ତ୍ତିଯାଇଥିଲେ ପପୁ । ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇ ଆସିଥିଲେ ।