ଡିଜିଟାଲ ଲଢ଼େଇ ପାଇଁ ବିଜେଡିର ବଡ ପ୍ରସ୍ତୁତି । ନେତା, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ପରେ ଟ୍ରେନିଂ ନେଲେ ଦଳୀୟ ସାଂସଦ ।

144

କନକ ବ୍ୟୁରୋ: ସାଧାରଣ ନିର୍ବାଚନରେ ଡିଜିଟାଲ ଲଢେଇ ଲଢିବା ପାଇଁ ପ୍ରସ୍ତୁତି ହେଉଛି ଶାସକ ବିଜେଡି ଦଳ । ବିଜେଡି ନେତା, ବିଧାୟକ ଏବଂ ପର୍ଯ୍ୟବେକ୍ଷକଙ୍କ ପରେ ଆଜି ଡିଜିଟାଲ ଟ୍ରେନିଂ ନେଇଛନ୍ତି ଦଳୀୟ ସାଂସଦ । ଫେସବୁକ, ଇନଷ୍ଟାଗ୍ରାମ ଓ ଟୁଇଟର ଭଳି ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି ଲକ୍ଷ୍ୟ ରଖିଛି ।

  • ଡିଜିଟାଲ ଲଢ଼େଇ ପାଇଁ ପ୍ରସ୍ତୁତ ବିଜେଡି ବ୍ରିଗେଡ୍
  • ସୋସିଆଲ୍ ମିଡିଆ ପାଲଟିବ ‘୨୪’ ଲଢ଼େଇର ଅସ୍ତ୍ର

ବିଜେଡି ନେତା, ବିଜେଡି ବିଧାୟକ ଏବଂ ଦଳୀୟ ପର୍ଯ୍ୟବେକ୍ଷକଙ୍କ ପରେ ପଡ଼ିଛି ସାଂସଦଙ୍କ ପାଳି । ଗୋଟିଏ ସପ୍ତାହ ଧରି ଚାଲିଥିବା ବିଜେଡିର ଡିଜିଟାଲ୍ ଟ୍ରେନିଂ କ୍ୟାମ୍ପରେ ଆଜି ସାମିଲ ହୋଇଛନ୍ତି ବିଜେଡି ସାଂସଦ । ହାଇଦ୍ରାବାଦରୁ ଆସିଥିବା ଏକ୍ସପର୍ଟ ଟିମ୍, ସାଂସଦଙ୍କୁ ସୋସିଆଲ୍ ମିଡ଼ିଆର ସରଳ ସୂତ୍ର ସମ୍ପର୍କରେ ଶିକ୍ଷା ଦେଇଛନ୍ତି । ବିଜେଡିର ଏହି ପ୍ରଶିକ୍ଷଣ ପଛରେ ରହିଛି ୨୦୨୪ ସାଧାରଣ ନିର୍ବାଚନ । ସୋସିଆଲ୍ ମିଡ଼ିଆ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ନେଇ ନେତାଙ୍କୁ ଦିଆଯାଇଛି ଡିଜିଟାଲ୍ ଟ୍ରେନିଂ । ଏଥିରେ ନେତାଙ୍କୁ ମିଳିଛି ଟାର୍ଗେଟ୍ ।

  • ସୋସିଆଲ ମିଡ଼ିଆରେ ୫ରୁ ୧୦ ହଜାର ଫଲୋଅର୍ସ ବଢ଼ାଇବା
  • ୧୮ରୁ ୪୦ ବର୍ଷିୟ ଯୁବ ଭୋଟରଙ୍କୁ ଦଳ ସହ ଯୋଡ଼ିବା
  • ସୋସିଆଲ ମିଡ଼ିଆ ଜରିଆରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା
  • କେନ୍ଦ୍ର ସରକାରଙ୍କ ବିଫଳତା ଓ ଅପ୍ରଚାର ସମ୍ପର୍କରେ ଜାଗରଣ ସୃଷ୍ଟି କରିବା
  • ସୋସିଆଲ ମିଡିଆକୁ ଏକ ଉପଯୋଗୀ ଅସ୍ତ୍ର ଭଳି ବ୍ୟବହାର କରିବା

ଏହି ସବୁ ପ୍ରମୁଖ ଲକ୍ଷ୍ୟ ବାହାରେ କେମିତି, ସାମାଜିକ ଗଣମାଧ୍ୟମର ସଠିକ୍ ବିନିଯୋଗ କରାଯାଇପାରିବ ସେନେଇ ବିଜେଡି ସାଂସଦଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଏହି ପ୍ରଶିକ୍ଷଣକୁ ନେଇ ବେଶ ଉତ୍ସାହିତ ବିଜେଡି ସାଂସଦ । ତେବେ ଯେଉଁ ସାଂସଦମାନେ ସୋସିଆଲ ମିଡିଆରେ ଅଭ୍ୟସ୍ତ ଅଛନ୍ତି, ସେମାନେ କିଭଳି ଆହୁରି ପରିପକ୍ୱ ହେବେ, ତାକୁ ଏହି ପ୍ରଶିକ୍ଷଣ ଶିବିବିରରେ ତାଲିମ୍ ଦିଆଯାଇଛି । ସେହିପରି ଯେଉଁ ସାଂସଦମାନେ ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟ୍ୱିଟର ଭଳି ସୋସିଆଲ ମିଡ଼ିଆରେ ଅଭ୍ୟସ୍ତ ନାହାଁନ୍ତି ତାଙ୍କୁ ଏହାର ସହଜ ଓ ସରଳ ଉପଯୋଗର ଶିକ୍ଷା ଦିଆଯାଇଛି ।

ଏପଟେ ବିଜେଡିର ଏହି ଉଦ୍ୟମକୁ ସାମାଲୋଚନା କରିଛି ବିଜେପି । ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ହାତରେ ଆଉ କୌଣସି ଅସ୍ତ୍ର ନାହିଁ । ନିଜ ଛବି ବଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆକୁ ଆୟୁଧ କରୁଛି । ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆର ପ୍ରଭାବ କେତେ, ଏହା କାହାରିକୁ ଅଛପା ନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆ ଏକ ବଡ଼ ଭୂମିକା ନେବ, ଏଥିରେ ବି ସନ୍ଦେହ ନାହିଁ । ତେଣୁ ସୋସିଆଲ୍ ମିଡ଼ିଆକୁ ବେଶ ଗୁୁରୁତ୍ୱ ଦେଉଛି ଶାସକ ବିଜୁ ଜନତା ଦଳ ।