ଓଡିଶାରେ ରାଜାଘର ରାଜନୀତି । ସାନଖେମୁଣ୍ଡିରେ ରାଜଜେମା, ଆଳିରେ ପ୍ରତାପ ଦେବ, ନୟାଗଡରେ ପ୍ରତ୍ୟୁଷା ରାଜେଶ୍ୱରୀ

118

କନକ ବ୍ୟୁରୋ: ଗଣତନ୍ତ୍ର ରାଷ୍ଟ୍ରରେ ଏବେ ବି ଯଦିଓ ରାଜତନ୍ତ୍ର ନାହିଁ । ତଥାପି ଓଡିଶା ରାଜନୀତିରେ ରାଜ ପରିବାରର ଦବଦବା ରହିଛି । ପ୍ରତି ନିର୍ବାଚନରେ ଗଡଜାତ ଅଞ୍ଚଳରେ ରାଜନୈତିକ ଲଢେଇରେ ରାଜ ପରିବାର ଭୂମିକା ଗୁରୁତ୍ୱ ବହନ କରିଆସୁଛି । ରାଜ ପରିବାର ଦାୟଦ ବିଧାୟକ ଓ ସାଂସଦ ହୋଇ ଶାସନ ଭାର ସମ୍ଭାଳିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

  • ରାଜନୀତିରେ ଧରାକୋଟ ଗଡ଼ର ରାଜ ପରିବାର
  • ୨୪ ମଇଦାନରେ ରାଜଜେମା ସୁଲକ୍ଷଣା ଗୀତାଞଳି ଦେବୀ

୧୯୬୭ ମସିହାରୁ ରାଜ୍ୟ ରାଜନୀତିରେ ଧରାକୋଟ ଗଡ ରାଜ ପରିବାରର ସଂପୃକ୍ତି ରହିଛି । ତତକାଳୀନ ରାଜା ଅନନ୍ତ ନାରାୟଣ ସିଂହଦେବ ଲଗାତାର ୫ ଥର ବିଧାୟକ ହୋଇଥିଲେ । ଆଉ ଏବେ ରାଜଜେମା ସୁଲକ୍ଷଣା ଗୀତାଞଳି ଦେବୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ରାଜଜେମା ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି । ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ସାନ ଭଉଣୀ ୨୨ ବର୍ଷିୟା ଶାନ୍ତିପ୍ରିୟା ଗୀତାଞଳି ଦେବୀ । ୨୦୧୪ ଓ ୧୯ରେ ବିଜେଡିରୁ ଲଢିଥିଲେ ରାଜମାତା ନନ୍ଦିନୀ ଦେବୀ । ୨୦୧୪ ବିଜୟୀ ହୋଇଥିବା ବେଳେ ୧୯ରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥର ରାଜମାତାଙ୍କ ସ୍ଥାନରେ ତାଙ୍କ ଝିଅ ଅର୍ଥାତ୍ ଧରାକୋଟ ରାଜଜେମାଙ୍କ ଉପରେ ଭରସା କରିଛି ବିଜେଡି ।

ଧରାକୋଟ ଭଳି ଆଳି ରାଜପରିବାର ମଧ୍ୟ ରାଜନୀତିରେ ବେଶ ସକ୍ରିୟ । ୬୩ଟି ପଞ୍ଚାୟତରୁ ନେଇ ଗଠିତ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ୧୯୭୧ ମସିହାରୁ ରାଜ ପରିବାର ହାତରେ ରହିଛି । ତତକାଳୀନ ରାଜାସାହେବ ଶରତ ଦେବ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ପରେ ୧୯୯୦ରେ ରାଜମାତା ସୁଶ୍ରୀ ଦେବୀ ଜନତା ଦଳରୁ ବିଧାୟିକା ହୋଇଥିଲେ । ୨୦୦୦ ମସିହାରୁ ରାଜନୀତିକୁ ଓହ୍ଲାଇଛନ୍ତି ବର୍ତ୍ତମାନର ବିଧାୟକ ପ୍ରତାପ କେଶରୀ ଦେବ । ୨୦୦୦, ୨୦୦୪, ୨୦୦୯ରେ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇଥିବା ପ୍ରତାପ ଦେବ ୧୪ରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କ ଠାରୁ ପରାସ୍ତ ହୋଇଥିଲେ । ପୁଣି ୨୦୧୯ରେ ବିଜୟୀ ହେବା ପରେ ମନ୍ତ୍ରୀ ରହିଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଅନ୍ୟପଟେ ନୟାଗଡ ରାଜନୀତି ମଇଦାନରେ ମଧ୍ୟ ଅଛନ୍ତି ରାଜ ବଂଶର ସଦସ୍ୟ । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କୁ ଟକ୍କର ଦେଉଛନ୍ତି ନୟାଗଡର ଶେଷ ରାଜା କୃଷ୍ଣଚନ୍ଦ୍ର ସିଂ ମାନ୍ଧାତାଙ୍କ ନାତୁଣୀ ବୋହୂ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ବିଜୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ପ୍ରତ୍ୟୁଷା ସମୟ କ୍ରମେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ରାଜା ନାହାନ୍ତି କି ରାଣୀ । କିନ୍ତୁ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ରାଜନୀତିରେ ରାଜ ପରିବାର ଦାୟଦଙ୍କ ଦବଦବା ରହିଛି । ଗତ ଫେବୃଆରୀରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ସୁଜ୍ଞାନୀ କୁମାରୀ ଦେଓଙ୍କ ଦେହାନ୍ତ ପରେ ରାଣୀଙ୍କ ପୁତୁରା ଡାକ୍ତର ସାକେତ ରାମା ରାଓଙ୍କୁ ନେଇ ରାଜନୀତି ଜୋର ଧରିଥିଲା । ହେଲେ ବିଜେଡି ପକ୍ଷରୁ ତାଙ୍କୁ ଟିକେଟ୍ ମିଳିନଥିବା ବେଳେ ତାଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ।