ଫେରିଲାନି ରୋଜଗାରିଆ ପୁଅ। ଅଧାରାସ୍ତାରେ ଚାଲିଗଲା ଜୀବନ ଜଳେଶ୍ୱର ଅଲାଲବିନ୍ଧା ଗାଁର ଗଗନ କାମିଳାଙ୍କୁ ହରାଇ ଗାଁରେ ଶୋକାକୁଳ ପରିବେଶ

415

କନକବ୍ୟୁରୋ: ପରଦୁଃଖରେ ଦୁଖୀ ହେଲେ । ଅନ୍ୟ ପାଇଁ ସହଯୋଗ କରିବାକୁ ଗଲେ । ହେଲେ ଆଉ ଘରକୁ ଫେରିଲାନି ଘରର ରୋଜଗାରିଆ ମଣିଷ । ପଡୋଶୀ ଘରର ଜଣଙ୍କ ମୃତ୍ୟୁ ଖବରରେ ସହଯୋଗ କରିବାକୁ ରାଉରକେଲା ବାହାରିଥିଲେ । ଯେଉଁଠି ପ୍ରଚଣ୍ଡ ଖରାରେ କେହି ଯିବାକୁ ରାଜି ନଥିଲେ ସେଠି ଆଗଭର ହୋଇ ବାହାରିଥିଲେ । ଜଳେଶ୍ୱର ଅଲାଲବିନ୍ଧା ଗାଁର ଗଗନ କାମିଳା । ପେଶାରେ ଜଣେ କମାର ହୋଇଥିବା ବେଳେ ଜଣେ ସମାଜସେବୀ ଭାବେ ତାଙ୍କର ନାାଁ ।

କାହାର ବିପଦ ପଡିଲେ ସବୁଠି ଆଗଭର ହୋଇ ବାହରିପଡନ୍ତି ଗଗନ । ହେଲେ ଏବେ ଗାଁ ଦାଣ୍ଡ ନିସ୍ତବ୍ଧ ହୋଇପଡିଛି । ସାହାଯ୍ୟ ପାଇଁ ରାଉରକେଲା ଯାଇଥିବା ଗଗନଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକୁ ସହଜରେ ଗ୍ରହଣ କରିପାରୁନି ପରିବାର ଆଉ ଗାଁ । ଗଗନଙ୍କୁ ନେଇ ଗାଁରେ ପୁରା ଶୋକାକୁଳ ପରିବେଶ । ଗାଁରେ ସମସ୍ତଙ୍କ ଆଖିରେ ଲୁହ । ନିସ୍ତବ୍ଧ ହୋଇଯାଇଛି ପୁରା ଗାାଁ ଆଉ ସବୁିଧା ଅସୁବିଧାରେ ଗଗନ ନାଁରେ ଡାକ ପଡିବନି ।

ଏହିଭଳି ଅକସ୍ମାତ ମୃତ୍ୟୁକୁ କେହି ବି ଗ୍ରହଣ କରିପାରୁନାହାନ୍ତି । ଘରର ରୋଜଗାରିଆ ମଣିଷ ଚାଲିଯାଇଥିବା ବେଳେ ପରିବାର କିଭଳି ଚଳିବ ତାଙ୍କର । ଘରେ ଗଗନଙ୍କ ରୋଗୀଣା ସ୍ତ୍ରୀ ଓ ପୁଅ କିଭଳି ଚଳିବେ? ଏନେଇ କିଛି ସାହାଯ୍ୟ ସହଯୋଗ କରିବାକୁ ସ୍ଥାନୀୟ ବାସୀ ଅନୁରୋଧ କରିଛନ୍ତି । ଗଗନଙ୍କ ମୃତ୍ୟୁ ନେଇ ଅସହାୟ ହୋଇପଡିଛନ୍ତି ତାଙ୍କ ପରିବାର । ଏହି ଅବସ୍ଥାରେ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଯୋଗାଇବା ଜରୁରୀ ହୋଇଛି ।