IT ସେକ୍ଟରରେ ସ୍ଥିତି ଗମ୍ଭୀର । ପ୍ରତିଦିନ ଛଟେଇ ହେଉଛନ୍ତି ପାଖାପାଖି ୧୬୦୦ କର୍ମଚାରୀ

5,115

କନକ ବ୍ୟୁରୋ: ପୁରା ବିଶ୍ୱରେ ଗମ୍ଭୀର ସ୍ଥିତିରେ ଆଇଟି ସେକ୍ଟର । ମାନ୍ଦାବସ୍ଥା ଭୟ ଦେଖାଦେଇଥିବା ବେଳେ କଂପାନିଗୁଡ଼ିକ ଖର୍ଚ୍ଚ କାଟ କରିବା ସହ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି। ସେଥିପାଇଁ ସେମା‌ନେ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଉଛନ୍ତି। ୨୦୨୩ ଜାନୁଆରିରେ ବିଶ୍ବବ୍ୟାପୀ ପ୍ରତିଦିନ ହାରାହାରି ଭାବେ ୧୬୦୦ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ୨୦୨୨ରେ ୧୦୦୦ରୁ ଅଧିକ କଂପାନି ‌୧ ଲକ୍ଷ ୫୪ ହଜାର ୩୩୬ କର୍ମଚାରୀଙ୍କୁ ଛଟେଇ କରିଥିଲେ ବୋଲି ଲେଅଫ୍‌ସ ୱେବସାଇଟ୍‌ ତଥ୍ୟରୁ ଜଣାପଡ଼ିଛି। ଗତବର୍ଷରୁ ଆରମ୍ଭ ହୋଇଥିବା ଗଣ ଛଟେଇ ୨୦୨୩ରେ ମଧ୍ୟ ଜାରି ରହିଛି। ଭାରତରେ ଛ‌ଟେଇ ସମସ୍ୟା ଷ୍ଟାର୍ଟଅପ୍ ଶିଳ୍ପରେ ଅଧିକ ଦେଖିବାକୁ ମିଳିଛି। ବଜାର ସ୍ଥିତି ଭଲ ନଥିବାରୁ ସେୟାରଚାଟ୍‌ ଏହାର ୫୦୦ କର୍ମଚାରୀଙ୍କୁ ବିଦା କରିଛି।

ବିଶ୍ୱସ୍ତରରେ ଟ୍ୱିଟର, ମେଟା, ସ୍ନାପ୍‌ଚାଟ୍‌, ମାଇକ୍ରୋପ୍ଟ, ଏଚ୍‌ପି, ଆମାଜନ ଭଳି ସଂସ୍ଥା କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। ଭାରତରେ ଚଳିତ ମାସରେ ଓଲା ଏହାର ୨୦୦ କର୍ମଚାରୀଙ୍କୁ ବିଦା କରିଛି। ସେମାନେ ଏକ ସ୍ୱତନ୍ତ୍ର ପ୍ରକଳ୍ପରେ କାମ କରୁଥିଲେ। ଡୁଞ୍ଜୋ ନାମକ ସଂସ୍ଥା ମଧ୍ୟ ଏହାର ୩ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ୨୦୨୩ରେ ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପୀ ୯୧ଟି କଂପାନି ୨୪ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆମାଜନ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସେଥିରେ ଭାରତରେ କାମ କରୁଥିବା ୧୦୦୦ କର୍ମଚାରୀ ଥିଲେ। ଛଟେଇ ସଂଖ୍ୟା ବୃଦ୍ଧି ପାଇବା ପରେ ଚାକିରି ଖୋଜିବାର ପ୍ରମୁଖ ମାଧ୍ୟମ ପାଲଟିଥିବା ‌ପ୍ରଫେସନାଲ୍‌ଙ୍କ ସୋସିଆଲ ମିଡିଆ ଆପ୍ ଲିଙ୍କଡ୍‌ଇନ୍‌ ଡାଉନ୍‌ଲୋଡ୍‌ ବଢ଼ିଯାଇଛି। ୨୦୨୧ ତୁଳନାରେ ୨୦୨୨ରେ ଲିଙ୍କଡ୍‌ଇନ୍ ଆପ୍ ଡାଉନ୍‌ଲୋଡ୍ ୧୦% ବୃଦ୍ଧି ପାଇଛି।

୨୦୨୨ରେ ଭାରତରେ ବାଇଜୁସ୍‌, ଓଲା, ଓୟୋ, ମିଶୋ, ଅନଏକାଡେମି ଓ ବେଦାନ୍ତୁ ଭଳି ଷ୍ଟାର୍ଟଅପ୍ ସଂସ୍ଥା ନିଜର ବହୁ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ମିଳିତ ଭାବେ ୨୦ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି। ବଜାର ସ୍ଥିତି ଖରାପ ଥିବାରୁ କର୍ମଚାରୀ ଛଟେଇ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିବା ଏହି କଂପାନିଗୁଡ଼ିକ ଦାବି କରିଛନ୍ତି। ଭାରତରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଆଉ ପୂର୍ବଭଳି ବଡ଼ ଧରଣର ପାଣ୍ଠି ମିଳୁନାହିଁ। ୨୦୨୨ରେ ଷ୍ଟାର୍ଟଅପ୍‌ଙ୍କୁ ମିଳୁଥିବା ପାଣ୍ଠିରେ ୨୨ ପ୍ରତିଶତ ହ୍ରାସ ହୋଇଛି।