ଏଠି ରାବଣଙ୍କ ହୁଏ ପୂଜା: ବର୍ଷକୁ ଥରେ ଆଜି ଦିନରେ ଖୋଲେ ମନ୍ଦିର ,ଜମେ ଭକ୍ତଙ୍କ ଭିଡ

272

କନକ ବ୍ୟୁରୋ: ସବୁଆଡେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରାଯାଉଥିବାବେଳେ ଉଦ୍ୟୋଗ ନଗରୀ କାନପୁରରେ ରହିଛି ରାବଣଙ୍କ ମନ୍ଦିର । ବିଜୟାଦଶମୀ ତଥା ଦଶହାରାଦିନ ଏହି ମନ୍ଦିର ଖୋଲା ଯାଇ ବିଧି ବିଧାନ ପୂର୍ବକ ରାବଣଙ୍କୁ ଦୁଗ୍ଧ ସ୍ନାନ କରାଯାଏ । ଏହାପରେ ଅଭିଷେକ କରାଯାଇ ଶୃଙ୍ଗାର କରାଯାଏ । ଏହାପରେ ପୂଜା କରାଯାଇ ରାବଣଙ୍କ ସ୍ତୁତି କରାଯିବା ସହ ଆଳତି କରାଯାଏ । କେବଳ ଦଶହରା ଦିନ ଏହି ମନ୍ଦିର ଖୋଲାଯାଉଥିବାବେଳେ ଏହି ଗୋଟିଏ ଦିନରେ ରାବଣଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମେ ।

ଦେଶବ୍ୟାପୀ ଦଶହରା ଦିନ ରାବଣଙ୍କର କୁଶପୁତ୍ତଳିକା ଦାହ କରାଯାଉଥିବାବେଳେ ଏହିଦିନ ଉତ୍ତରପ୍ରଦେଶ କାନପୁରରେ ଥିବା ଏହି ମନ୍ଦିରରେ କିନ୍ତୁ ରାବଣଙ୍କ ପୂଜାର୍ଚ୍ଚନା କରାଯାଏ । ଏହା ପଛରେ ରହିଛି ଏକ ଧାର୍ମିକ ତଥା ପୌରାଣିକ ବିଶ୍ୱାସ । ଏଠିକାର ପୂଜକଙ୍କ କହିବା ଅନୁସାରେ, ରାବଣ ଧରାଶାୟୀ ହେବାପରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ରାବଣଙ୍କ ପାଦପଦ୍ମରେ ପ୍ରଣାମ କରି ତାଙ୍କ ଠାରୁ ଜ୍ଞାନ ଆହରଣ କରିବାକୁ କହିଥିଲେ । କାରଣ ରାବଣ ପରି ଜ୍ଞାନୀ ନା ଆଜିଯାଏଁ ଧରାପୃଷ୍ଠରେ କେହି ଜନ୍ମ ନେଇଛି ନା ନେବେ । ଏହି ସମୟରେ ରାବଣ ସମସ୍ତଙ୍କ ପାଇଁ ପୂଜନୀୟ ହୋଇଯାଇଥିଲେ । ରାବଣଙ୍କ ଏହି ସ୍ୱରୂପକୁ ଧ୍ୟାନରେ ରଖି କାନପୁରରେ ରାବଣଙ୍କୁ ପୂଜା କରାଯାଏ ।