ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଆସିଲା ରାହୁଲ ଗାନ୍ଧୀଙ୍କ ବୟାନ । କହିଲେ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ରାଷ୍ଟ୍ରପତି କରନ୍ତୁ ଉଦଘାଟନ

428

କନକ ବ୍ୟୁରୋ : ମେ’୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଆଜି ଏହା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ରାଷ୍ଟ୍ରପତି କରିବା ଉଚିତ୍ । ସଂସଦ ଭବନ ନିର୍ମାଣ ସରିବା ପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଉଦଘାଟନ କରିବାକୁ ଅନୁରୋଧ କରିଥିଲେ ।

ସେପଟେ ଉଦଘାଟନ ତାରିଖ ଘୋଷଣା ହେବା ପରେ ଏହା ଉପରେ କଂଗ୍ରେସ ଅଭିଯୋଗ ଆଣିଛି । କାରଣ ମେ’୨୮ ତାରିଖ ହେଉଛି ବିନାୟକ ଦାମୋଦର ସବରକରଙ୍କ ଜନ୍ମଦିନ । ଏହି ଦିନରେ ଏକ ଗଣତନ୍ତ୍ର ରାଷ୍ଟ୍ରର ସଂସଦ ଭବନ ଉଦଘାଟନ କରି ବିଜେପି ସବରକରଙ୍କୁ ଉଚ୍ଚା ଦେଖାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କଂଗ୍ରେସ କହିଥିଲା କି, ଏହା ସଂଯୋଗ ନୁହେଁ ବରଂ ଏକ ପ୍ରୟୋଗ ।

ସୂଚନା ଥାଉକି ନୂଆ ସଂସଦ ଭବନ ୬୪ ହଜାର ୫୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହୋଇଛି । ୪ ମହଲା ବିଶିଷ୍ଟ ଏହି ପାର୍ଲାମେଣ୍ଟ କୋଠାରେ ୧୨୨୪ ଜଣ ସାଂସଦ ବସିବାର ସୁୁବିଧା ରହିଛି । ଲୋକସଭାର ୮୮୮ ଓ ରାଜ୍ୟସଭାର ୩୮୪ ସାଂସଦ ଏଠାରେ ବସିପାରିବେ । ଏହି ସଂସଦ ଭବନରେ ଏକ ବଡ ହଲ, ଲାଇବ୍ରେରୀ ଓ ପାର୍କିଂର ସୁବିଧା ମଧ୍ୟ ରହିଛି । ୧ ଅକ୍ଟୋବର ୨୦୨୦ରେ ସଂସଦର କାମ ଆରମ୍ଭ ହୋଇଥିଲା । ଆଉ ଆଜକୁ ଠିକ ୨ ବର୍ଷ ୭ ମାସ ପୂରଣ ହୋଇଛି । ଅର୍ଥାତ ୩ ବର୍ଷ ଭିତରେ ସଂସଦ ଭବନ ତିଆରି ହୋଇଛି । ନୂଆ ସଂସଦ ଭବନ ତିଆରିରେ ପ୍ରାୟ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ତିଆରି ହୋଇଥିବା ଏହି ନୂଆ ସଂସଦ ଭବନରେ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି । ଏହି ଗୋଟିଏ ଭବନରେ ରହିଛି ଉଭୟ ରାଜ୍ୟସଭା ଓ ଲୋକସଭା ସଦନ । ସାଂସଦମାନଙ୍କ ପାଇଁ ଏଠାରେ ଅତ୍ୟାଧୁନିକ କାର୍ଯ୍ୟାଳୟ କରାଯାଇଛି, ଯେଉଁଠି ବସି ସେମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିପାରିବେ । ନୂଆ ସଂସଦ ଭବନର ଭିତରର ଦୃଶ୍ୟ ବେଶ ସୁନ୍ଦର ଓ ଆକର୍ଷଣୀୟ । ଏହି ନୂଆ ସଂସଦ ଭବନ ପୁରୁଣା ସଂସଦ ଭବନର ପାଖରେ ହିଁ ତିଆରି ହୋଇଛି ।