ସଦସ୍ୟତା ରଦ୍ଦ ହେବା ପରେ ପ୍ରଥମଥର ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧୀ, ସମ୍ବାଦିକ ସମ୍ମିଳନୀରେ ପୁଣି ପଚାରିଲେ ପୁରୁଣା ପ୍ରଶ୍ନ

165

କନକ ବ୍ୟୁରୋ : ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନ ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି । ଏହି ମାମଲାରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଛି । ସାଂସଦ ପଦ ରଦ୍ଦ ହେବା ପରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାହୁଲ ଗାନ୍ଧୀ । ଆଜିର ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମୋଦୀ ଓ ଆଦାନୀଙ୍କ ସଂପର୍କକୁ ନେଇ ଲୋକସଭାରେ ପଚାରିଥିବା ପ୍ରଶ୍ନକୁ ଦୋହରାଇଛନ୍ତି । ସେ କହିଛନ୍ତି ‘ମୁଁ ସଂସଦରେ କେବଳ ଏହି ପ୍ରଶ୍ନ ପଚାରିଥିଲି କି ଆଦାନୀଜୀଙ୍କର ସେଲ କମ୍ପାନୀରେ କିଏ ୨୦ ହଜାର କୋଟି ଟଙ୍କା ନିବେଶ କରିଛି । ଏହି ଟଙ୍କା କାହାର । ଏହାସହ ମୁଁ ସଂସଦରେ ପ୍ରଶ୍ନ ପଚାରିଥିଲି କି ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନୀଙ୍କ ମଧ୍ୟରେ କଣ ରହିଛି ସଂପର୍କ ? ଏହାସହ ଗଣମାଧ୍ୟମ ରିପୋର୍ଟ ମୁତାବକ ମୁଁ ସଂସଦରେ ଏହାର ପ୍ରମାଣ ମଧ୍ୟ ରଖିଥିଲି ’ ।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନୀ ଗୋଟିଏ ବିମାନରେ ଯାଉଥିବାର ଫଟୋ ସଂସଦରେ ଦେଖାଇଥିଲେ । ସେ ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ମୋଦୀଜୀ ଓ ଅଦାନୀଙ୍କ ମଧ୍ୟରେ ଥିବା ସଂପର୍କ ବହୁ ପୁରୁଣା । ମୋଦୀଜୀ ଯେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳ ଠାରୁ ମୋଦୀଜୀ ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଟ ସଂପର୍କ ରହିଛି ବୋଲି ସେ କହିଛନ୍ତି ।