‘ମୁଁ ସତକୁ ଦେଖେ ,ସତ କୁହେ, ମୋତେ ଆଉ କେଉଁଥିରେ ଆଗ୍ରହ ନାହିଁ’: ସାଂସଦ ପଦ ରଦ୍ଦ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ବୟାନ

485

କନକ ବ୍ୟୁରୋ: ‘ମୁଁ ଭାରତକୁ ଭଲପାଏ । ଗଣତନ୍ତ୍ର ଆଧାରରେ ଏ ଭାରତ ବର୍ଷ ଚାଲୁଛି । ହେଲେ ଏବେ ଗଣତନ୍ତ୍ରକୁ ଆକ୍ରମଣ କରାଯାଉଛି । ବିରୋଧୀଙ୍କୁ ଗୃହରେ ଅଣାଦେଖା କରାଯାଇ ଗଣତନ୍ତ୍ରକୁ ବିପଦମୁଖୀ କରାଯାଉଛି । ଯାହା ମୋ ଦେଶ ପ୍ରତି ବିପଦ ସୃଷ୍ଟି କରିଛି । ମୁଁ ତ ଏହି ସତ କଥା କହିଛି । ମୁଁ ସବୁବେଳେ ସତ ଦେଖେ, ସତ କୁହେ, ଏହା ବ୍ୟତୀତ ମୋରେ ଆଉ କୌଣସି ଥିରେ ଆଗ୍ରହ ନାହିଁ’ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ ସତ କହିବା ମୋ ରକ୍ତରେ ଅଛି । ଏହା ମୋ ଜୀବନର ତପସ୍ୟା । ଭାରତ ବର୍ଷ ମୋତେ ସବୁକିଛି ଦେଇଛି । ସ୍ନେହ , ସମ୍ମାନ ସବୁ ଦେଇଛି । ତେଣୁ ଏହାର ସୁରକ୍ଷା ପାଇଁ ମୁଁ ସବୁବେଳେ ସ୍ୱର ଉଠାଇବି । ସମସ୍ତଙ୍କୁ ସତ ଜଣାଇବାକୁ ଚାହିଁବି । ଏଥିପାଇଁ ମୁଁ କାହାକୁ ଡରେନି। ମୋତେ ଯେତେ ଡିସକ୍ୱାଲିଫାଏ କରନ୍ତୁ , ମାରନ୍ତୁ, ଡରାନ୍ତୁ , ଧମକାନ୍ତୁ କିଛି ଫରକ୍ ପଡେନି’ । । ଲୋକସଭାର ପ୍ରାଥମିକ ସଦସ୍ୟତା ପଦ ରଦ୍ଦ ହେବା ପରେ ଆଜି କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।