ଭାରତୀୟ କ୍ରିକେଟ ଟିମର କୋଚ୍ ରାହୁଲ ଦ୍ରାବିଡଙ୍କୁ ମାସିକ କେତେ ଟଙ୍କା ମିଳୁଛି ଦରମା । ଜାଣନ୍ତୁ ଭାରତୀୟ ଟିମ୍ ସହ ରହିବେ କେତେ ଦିନ

9,426

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ଖବର ଆସୁଥିଲା କି, ରାହୁଲ ଦ୍ରାବିଡ ଓ ବିସିସିଆଇ ସହିିତ ହୋଇଥିବା ଚୁକ୍ତିର ଅବଧି ଆଉ ବୃଦ୍ଧି କରିବାକୁ ଇଚ୍ଛୁକ ନଥିଲେ । ବିସିସିଆଇ ଏହା ଉପରେ କିଛି ବୟାନ ଦେଇନାହିଁ । ହେଲେ ଗଣମାଧ୍ୟମ ରିପୋର୍ଟ ମୁତାବକ ଦ୍ରାବିଡ ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ ଦଳର କୋଚ ଭାବେ କାର୍ଯ୍ୟ କରିବେ ।

ବିସିସିଆଇ ତରଫରୁ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଘୋଷଣା କରାଯାଇଛି । ହେଲେ ଏହି ପଦରେ ସେ କେବେ ପର୍ଯ୍ୟନ୍ତ ରହିବେ, ତାଙ୍କୁ ମାସିକ କେତେ ଟଙ୍କା ବେତନ ମିଳିବ ତାହା ଉପରେ କିଛି ସ୍ପଷ୍ଟ କରିନାହିଁ । ଏହା ପୂର୍ବରୁ ରାହୁଲ ଦ୍ରାବିଡଙ୍କୁ କୋଚ ଭାବେ ବିସିସିଆଇ ବାର୍ଷିକ ୧୦ କୋଟି ଟଙ୍କା ଦରମା ଦେଉଥିଲା । ସୂତ୍ର ସୂଚନା ମୁତାବକ ଚୁକ୍ତି ଅବଧି ବଢିବା ସହ ରାହୁଲ ଦ୍ରାବିଡଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି । ହେଲେ କେତେ ବୃଦ୍ଧି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ରାହୁଲ ଦ୍ରାବିଡ ୨୦୨୧ ମସିହାରେ ଭାରତୀୟ ଟିମର କୋଚର ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକାଳ ୨ ବର୍ଷ ଥିଲା । ଦ୍ରାବିଡ କୋଚ ଥିବା ସମୟରେ ଭାରତ ଏସିଆ କପ ୨୦୨୩ ହାସଲ କରିଥିଲା । ସେହିଭଳି ଆଇସିସି କ୍ରିକେଟ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚମ୍ପିଅନସିପରେ ଉପ ବିଜେତା ହୋଇଥିଲା ।