ଓଡ଼ିଶାରେ ସଫଳ ହେଉଛି ଠେକୁଆ ଚାଷ । ଚାକିରୀ ଛାଡି ଠେକୁଆ ଫାର୍ମ କରିଛନ୍ତି ଯୁବ ଇଞ୍ଜିନିୟର ।

238

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସରକାରୀ ଚାକିରୀ ଛାଡ଼ି ନିଜ ଜନ୍ମମାଟିକୁ ଫେରି ଆସିଥିଲେ ଯୁବ ଇଂଜିନିୟର । ଆଉ ଏବେ ପାଲଟିଛନ୍ତି ସଫଳ ଠେକୁଆ ଚାଷୀ । ଓଡ଼ିଶା ଭଳି ଜାଗାରେ ଏଭଳି ଏକ ନୂତନ ଚାଷର ପରିକଳ୍ପନା କରି ସଫଳତା ପାଇବା ପରେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଚର୍ଚ୍ଚାରେ ଯୁବ ଇଂଜିନିୟରଙ୍କ ଠେକୁଆ ଚାଷ । ଠେକୁଆ ଚାଷ କରି ସଫଳତା ପାଇଛନ୍ତି ଯାଜପୁରର ଯୁବ ଇଂଜିନିୟର ଜଗନ୍ନାଥ ମହାରଣା । ଏହି ଚାଷ ମାଧ୍ୟମରେ ସେ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି । ଗତ ଫେବୃଆରି ମାସରେ ପ୍ରଥମେ ୭୦ଟି ମାଇ ଓ ୩୦ଟି ଅଣ୍ଡିରା ଠେକୁଆ ଆଣି ଫାର୍ମ ଆରମ୍ଭ କରିଥିଲେ । ଧିରେ ଧିରେ ଠେକୁଆଙ୍କ ସଂଖ୍ୟା ବଢିବା ସହ ରୋଜଗାରର ବାଟ ଫିଟିଛି । ପ୍ରତି ଠେକୁଆ ଥରକେ ୫ଟି ଲେଖାଏଁ ଛୁଆ ଜନ୍ମ ଦେଉଥିବା ବେଳେ ମାତ୍ର ୯୦ ଦିନରେ ପ୍ରାୟ ୩୫୦ଟି ଛୁଆ ଉତ୍ପାଦନ ହୋଇଛି । ଅଧିକାଂଶ ବିକ୍ରି ଯୋଗ୍ୟ ହୋଇଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରକୁ ଠେକୁଆ ଗୁଡ଼ିକ ବିକ୍ରି କରାଯାଉଥିବା ବେଳେ ନିଜେ ସ୍ୱାବଲମ୍ବି ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ ମଡ଼େଲ ପାଲଟିଛନ୍ତି ଯୁବ ଇଂଜିନିୟର ।

ବିଟେକ୍ ପାସ କରିବା ପରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ସାଇଣ୍ଟିଫିକ୍ ଆସିଷ୍ଟାଂଟ ଭାବେ କାମ କରୁଥିଲେ ଜଗନ୍ନାଥ । ୨ ବର୍ଷ ତଳେ କରୋନା ମହାମାରୀ ଭୟାବହତାକୁ ନେଇ ବାପା ମା’ ଚିନ୍ତିତ ହୋଇପଡ଼ିଥିଲେ । ବାପା ମା’ ସ୍ନେହ ତାଙ୍କୁ ଘରକୁ ଫେରିଆସିବାକୁ ବାଧ୍ୟ କରିଥିଲା । ତେବେ  ସରକାରୀ ଚାକିରୀ ଛାଡ଼ି ଘରକୁ ଆସିବା ପରେ କିଛି କରିବା ଆଶାରେ ୟୁଟ୍ରୁ୍ୟବ୍ ସର୍ଚ୍ଚ କରି ଠେକୁଆ ଚାଷ କରିବାକୁ ମନସ୍ତ କରିଥିଲେ ଜଗନ୍ନାଥ  । ଏହାପରେ ଜଣେ ସମ୍ପର୍କୀୟଙ୍କ ସହାୟତାରେ ତାଲିମ ନେଇ ଗାଁରେ ଥିବା ନିଜ ଜମିରେ ଠେକୁଆ ଆରମ୍ଭ କରିଛନ୍ତି ଠେକୁଆ ଚାଷ ।

ଅନ୍ୟପଟେ ଠେକୁଆ ବିକ୍ରି କରିବା ପାଇଁ କୌଣସି ଅସୁବିଧା ନଥିବା କହିଛନ୍ତି ଜଗନ୍ନାଥ । ଏହି ଚାଷ କରିବା ସହିତ ଜଣେ ଅନ୍ୟ କିଛି କାମ କରିପାରିବେ । ଏଥିପାଇଁ ଖୁବ୍ କମ୍ ପରିଶ୍ରମ କରିବାକୁ ପଡ଼ିଥାଏ ବୋଲି କୁହନ୍ତି ଯୁବ ଇଂଜିନିୟର । ସ୍ଥାନୀୟ ଅଂଚଳରେ ମଧ୍ୟ ଜଗନ୍ନାଥଙ୍କ ଏଭଳି ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି ।