ନୂଆ ଟିମରେ ପୁରୁଣା ମନ୍ତ୍ରୀ। ଅର୍ଥ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ନବୀନଙ୍କ ଭରସା। ବଦଳିଲା ଟୁକୁନିଙ୍କ ବିଭାଗ। 

144

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ଯେଉଁ ମନ୍ତ୍ରୀ  ନିଜର ପଦ ବଜାୟ ରଖି  ମୁଖ୍ୟମନ୍ତ୍ରୀଙ୍କ ପୁଣି ଆସ୍ଥାଭାଜନ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଝାରୁସୁଗଡାର ବିଧାୟକ ନବ ଦାସ । ପୂର୍ବରୁ ସେ  ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଆଉ ଏବେ ବି ସେ ସେହି ବିଭାଗ ସମ୍ଭାଳିବେ ।  ଅର୍ଥାତ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ସ୍ୱୀକୃତି ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ।

ଅର୍ଥ ମନ୍ତ୍ରଣାଳୟ କିଏ ପାଇବ ତାକୁ ନେଇ ଚର୍ଚ୍ଚା ଭିତରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ପୁଣି ନବୀନ ପଟ୍ଟନାୟକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ।  ତାଙ୍କୁ ପୁଣିଥରେ ଅର୍ଥ ବିଭାଗ ଦାୟିତ୍ୱ ସହ ସଂସଦୀୟ ବ୍ୟାପାର ବିଭାଗ ମିଳିଛି । ବଲାଙ୍ଗୀର ଟିଟିଲଗଡରୁ ବିଧାୟକ ଅଛନ୍ତି ଟୁକୁନୀ ସାହୁ । ବିଧାୟକ ଅଭିମନ୍ୟୁ ସାହୁଙ୍କ ମୃତ୍ୟୁ ପରେ ପତ୍ନୀ ଟୁକୁନିକୁ ଟିକେଟ ଦେଇଥିଲା ବିଜେଡି । ପ୍ରଥମ ଥର ଲାଗି ବିଧାୟିକା ହୋଇ ବି ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।  ତାଙ୍କୁ ଦିଆଯାଇଥିଲା  ମହିଳା ଓ ଶିଶୁବିକାଶ କଲ୍ୟାଣ  ବିଭାଗ ।  ଏବେ ନୂଆ ଟିମରେ ଜଳସମ୍ପଦ, ବାଣିଜ୍ୟ ପରିବହନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିିଛି । ନିମାପଡା ବିଧାୟକ ସମୀର ଦାଶଙ୍କୁ ପୁଣି ମିଳିଛି ଗଣଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ । ୨୦୧୯ ନିର୍ବାଚନ ପରେ ଗଣଶିକ୍ଷା ବିଭାଗ ଦେଇ ତାଙ୍କ ଉପରେ  ଆସ୍ଥା  ପ୍ରକଟ କରିଥିଲେ । ନବୀନ ଫୋକସରେ ଥିବା ଶିକ୍ଷା ବ୍ୟବସ୍ଥାର ଭାର ପୁଣିଥରେ ପାଇଛନ୍ତି ସମୀର ।

କାକଟପୁରରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ତୁଷାରକାନ୍ତି ବେହେରାଙ୍କ ନାଁ ଚର୍ଚ୍ଚାରେ ନଥିବାବେଳେ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି ।  ବିଜେପିରୁ ଆସି ବିଜେଡିରୁ ଟିକେଟ ପାଇ ମନ୍ତ୍ରୀ ହୋଇଥିଲେ ତୁଷାରକାନ୍ତି । ପୂର୍ବର ପ୍ରଯୁକ୍ତିବିଦ୍ୟା, କ୍ରୀଡା ସହ ଅତିରିକ୍ତ ଭାବେ ସେ ଗୃହ ବିଭାଗ ସମ୍ଭାଳିବେ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ନିଜର ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ।  ସେହିଭଳି ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା ମଧ୍ୟ ମନ୍ତ୍ରିମଣ୍ଡଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।