ବିଜେପି-ଟିଏମସି ମଧ୍ୟରେ ପ୍ରଶ୍ନ-ପଇସା ବିବାଦ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ

162

କନକ ବ୍ୟୁରୋ: ସାଂସଦ ମହୁଆ ମୋଇତ୍ରା । ଟିଏମସିର ଜଣେ ହେଭିୱେଟ ସାଂସଦ । ଯେତେବେଳେ ସଂସଦରେ ମୁହଁ ଖୋଲନ୍ତି ସେତେବେଳେ ଏଭଳି କିଛି ଥାଏ ତାଙ୍କ ଅନ୍ଦାଜ । ବିରୋଧୀଙ୍କୁ ଚୁପ କରିବା ପାଇଁ କେବେ ପ୍ରଶ୍ନବାଣ କରନ୍ତି କେବେ ବଡ ପାଟି କରି ନିଜ କଥା ରଖନ୍ତି । ମୋହୁଆଙ୍କ ଏହି ଆଚରଣ ଉପରେ ଏବେ ଲାଗିଛି ସଂଗୀନ ଅଭିଯୋଗର ଦାଗ । ମୋହୁଆ ଗୃହରେ ହୋହାଲ୍ଲା କରିବା ଓ ପ୍ରଶ୍ନ ପଚାରିବାକୁ କୁଆଡେ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲାଂଚ ନେଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି ନିଶିକାନ୍ତ ଦୁବେ । ପତ୍ରରେ ଏକଥାର ଦାବି କରାଯାଇଛି ଯେ କମିଟି ଗଠନ କରାଯାଉ ଓ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ ।

ଆଇଜନୀବୀ ଜୟ ଅନନ୍ତ ଦେହଦ୍ରୋଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ପ୍ରମାଣ ଆଧାରରେ ଏକ ଚିଠି ଲେଖି ଏହି ବାବଦରେ ଜଣାଇଥିଲେ । ସେ କହିଥିଲେ ବ୍ୟବସାୟୀଙ୍କଠୁ ଲାଂଚ ଓ ଉପହାର ନେଇ ମୋହୁଆ ଲୋକସଭାରେ ମୋଟ ୬୧ ପ୍ରଶ୍ନ ପଚାରିଥିଲେ । ଏହା କେବଳ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ଓ ତାଙ୍କ ବ୍ୟବସାୟୀଙ୍କୁ ଲାଭ ଦେବା ଉଦ୍ଦେଶ୍ୟରେ କରାଯାଇଥିଲା । ୫୦ ପ୍ରଶ୍ନ ବଦଳରେ କିଛି ଜରୁରୀ ସୂଚନା ଜାଣିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ ।

ସେପଟେ ଅଭିଯୋଗ ଉପରେ ଜବାବ ରଖିଛନ୍ତି ମହୁଆ ମୋଇତ୍ର । ସେ କହିଛନ୍ତି ଭିତିହୀନ ଅଭିଯୋଗ ପାଇଁ ତାଙ୍କ ପାଖରେ କୌଣସି ଜବାବ ନାହିଁ । ପ୍ରଥମ ବିଜେପି ସାଂସଦ ଓ ଗୌତମ ଆଦୀନୀ ଉପରେ ଲାଗିଥିବା ସବୁ ଦୁର୍ନୀତିର ମଧ୍ୟ ତଦନ୍ତ କରାଯାଉ । ପରେ ମୋ ପାଖକୁ ପଠାଯାଉ ସିବିଆଇକୁ । ବିଜେପି କହିଛି ଏଭଳି ଆଚରଣ ଗୃହର ସ୍ୱାଧୀକାର ଭଙ୍ଗ ଅନୁଯାୟୀ ଅପରାଧ ଅଟେ । ତେଣୁ ଟିଏମସି ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୦୫ ମସିହାରେ କ୍ୟାସ ଫର କ୍ୱରି ମାମଲାରେ ୧୧ଜଣ ସାଂଦଙ୍କ ସଦସ୍ୟତା ରଦ୍ଧ ହୋଇଥିବା ମଧ୍ୟ ନଜୀର ରହିଛି ।