ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ: ଚାଷୀଙ୍କ ଭିଡରେ ଘଂଟାଏ କାଳ ଫସିଗଲେ ଅଫିସର

89

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାଇସ-ପେନସନ ଓ ପ୍ରେଷ୍ଟିଜ୍ ସହ ଅନ୍ୟାନ୍ୟ ଦାବିରେ ପଦଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆନ୍ଦୋଳନକାରୀଙ୍କ ଭିଡ ଭିତରେ ଫସିଗଲେ ଅତିରିକ୍ତ ଜିଲ୍ଲାପାଳ । ଘଂଟାଏ କାଳ ପ୍ରଶାସନିକ ବାବୁଙ୍କୁ ଦାବି ଶୁଣାଇଲେ ଆନ୍ଦୋଳନକାରୀ । ସରକାର କୃଷକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଗଲା ପରେ ଚାଷୀଙ୍କୁ ଭୁଲି ଯାଉଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟା ପୁଣି ନବ ନିର୍ମାଣ କୃଷକ ସଙ୍ଗଠନକୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି ।

ଆଜିଠୁ ଯାଜପୁରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ସଂଗଠନ ରାଷ୍ଟ୍ରିୟ ସଂଯୋଜକ । ଆସନ୍ତା ଅକ୍ଟୋବରରେ ସାରା ରାଜ୍ୟର ୫ଲକ୍ଷ ଚାଷୀ ସରକାରଙ୍କ ନିଦ ହଜାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଆଜି ଚାଷୀ ସଂଗଠନ ୨ ହଜାରରୁ ଅଧିକ ସଦସ୍ୟ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ ଚାଷୀଙ୍କ ଦାବି ଶୁଣିବାକୁ ପଦାକୁ ଆସିଥିଲେ । ଦୀର୍ଘ ଏକ ଘଂଟା ଚାଷୀମାନେ ତାଙ୍କୁ ଖରାରେ ଛିଡା କରି ନିଜ ମେଳରେ ରଖି ଗୋଟି ଗୋଟି କରି ଦାବି ଶୁଣାଇଥିଲେ । ଚାଷୀଙ୍କ ଭିଡରେ ରହି ଜିଲ୍ଲାପାଳ ଅଣନିଶ୍ୱାସ ହୋଇ ପଡିଥିଲେ ।