ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ: ଉପାନ୍ତ ଗାଁରୁ ଗରିବ ପିଲାଙ୍କୁ ବୁଲାଇଲେ ଭଂଜନଗର ପାର୍କ

76

କନକ ବ୍ୟୁରୋ: କାର୍ଯ୍ୟଶୈଳିରୁ ହିଁ ଜୀବନର ମହନିୟତା ପ୍ରକାଶିତ ହୁଏ । କଥାରେ କୁହାଯାଏ, ଖୁସି ବାଂଟିଲେ ଦ୍ୱିଗୁଣିତ ହୁଏ । ଏଭଳି କଥାକୁ ସତରେ ପରିଣତ କରିଛନ୍ତି ଭଂଜନଗରର ଜଣେ ସ୍ୱେଚ୍ଛାସେବୀ ଅରଖିତ ପରିଛା । ନିଆରା ଢଙ୍ଗରେ ପାଳନ କରିଛନ୍ତି ଜନ୍ମଦିନ । ଉପାନ୍ତ ଡ଼ିହକୁମ୍ପାପଲ୍ଲୀ ଗାଁର ପିଲାଙ୍କୁ ଭଂଜନଗର ଶିଶୁ ଉଦ୍ୟାନକୁ ଆଣି ଟଏ ଟ୍ରେନ୍ରେ ବୁଲାଇବା ସହ ହୋଟେଲରେ ଖୁଆଇ ଘରକୁ ପଠାଇଛନ୍ତି ।

ପାର୍କ ବୁଲିଲେ ଗାଁ ପିଲା.. ଟଏ ଟ୍ରେନରେ ବସିଲେ.. ପାର୍କରେ ଦୋଳି ଖେଳିଲେ.. ହୋଟେଲରେ ମନ ପସନ୍ଦର ଖାଦ୍ୟ ଖାଇଲେ.. । କୁନି କୁନି ପିଲା ମୁହଁରେ ହସ ଫୁଟାଇବା ପାଇଁ ଏମାନଙ୍କୁ ଗାଁରୁ ପାର୍କକୁ ଆଣିଛନ୍ତି ସ୍ୱେଚ୍ଛାସେବୀ । ନିଜ ଜନ୍ମ ଦିନକୁ ଛୋଟ ପିଲାଙ୍କ ସହ ପାଳନ କରିବା ସହ ସେମାନଙ୍କୁ ଟିକିଏ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି ସ୍ୱେଚ୍ଛାସେବୀ ଅରକ୍ଷିତ ପରିଚ୍ଛା ।

ଜନ୍ମଦିନରେ ଭଂଜନଗର ବ୍ଳକ ଉପାନ୍ତ ଗାଁ ଡିହକୁମ୍ପାପଲ୍ଲୀର ପିଲାଙ୍କୁ ଭଂଜନଗର ଶିଶୁ ଉଦ୍ୟାନକୁ ବୁଲାଇ ନେଇଥିଲେ ସ୍ୱେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ର ସଦସ୍ୟ ଅରକ୍ଷୀତ ପରିଛା । ଏହି ପିଲାମାନେ କେବେ ଭଂଜନଗର ଆସି ନାହିଁନ୍ତି । ସେମାନଙ୍କୁ ପାର୍କକୁ ଆଣି କୁନି କୁନି ପିଲାଙ୍କ ଗହଣରେ କେକ୍ କାଟିବା ପରେ ଏକ ହୋଟେଲରେ ଖୁଆଇବାର ବ୍ୟବସ୍ଥା କରିଥିଲେ । ଏହାପରେ ପିଲାମାନଙ୍କୁ ଟଏ ଟ୍ରେନ୍ ବସାଇବା ସହ, ଆକ୍ୱାରିମ୍, ସାଇନ୍ସପାର୍କ, ଜଳଭଣ୍ଡାର ବୁଲାଇ ଦେଖାଇଥିଲେ ଅରକ୍ଷିତ ଓ ତାଙ୍କ ବଂଧୁମାନେ ।

ଡିହକୁମ୍ପାପଲ୍ଲୀ ଗାଁରେ ବିଦ୍ୟାଳୟ ନଥିବାରୁ ୧୫ରୁ ୨୦ ପିଲା ପାଠପଢ଼ାରୁ ବଂଚିତ ହୋଇଛନ୍ତି । ସେମାନଙ୍କୁ ପାଠ ପଢାଇବା ପାଇଁ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ‘ମୁଁ ବି ପାଠ ପଢ଼ିବି” ଅଭିଯାନ ଜାରି ରହିଛି । ଗାଁରେ ଭଢ଼ାଟିଆ ଶିକ୍ଷକ ନିଯୁକ୍ତି କରି ପାଠପଢ଼ା ଜାରି ରଖିଛନ୍ତି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ପ୍ରାୟ ସମସ୍ତେ ନିଜ ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗ ସାଥିଙ୍କ ସହ ଜନ୍ମଦିନ ଭଳି ଉତ୍ସବ ପାଳନ କରିଥାନ୍ତି, ହେଲେ ଅରକ୍ଷିତଙ୍କ ଜନ୍ମଦିନ ପାଳନ ନିହାତି ଅନ୍ୟାମାନଙ୍କ ଠାରୁ ନିଆରା ।