ବିଦେଶରୁ ଫେରି ଦିଲ୍ଲୀ ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟପାଳଙ୍କ ସହ ବନ୍ୟା ମୁକାବିଲା ନେଇ କଲେ ଆଲୋଚନା

153

କନକ ବ୍ୟୁରୋ : ବିଦେଶରୁ ଫେରି ଦିଲ୍ଲୀ ବନ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ପରିସ୍ଥିତିର କିପରି ମୁକାବିଲା କରାଯାଉଛି ସେନେଇ ରାଜ୍ୟପାଳ ଭି.କେ ସେକ୍ସେନାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦସଙ୍କେତ ଟପି ଜଳସ୍ତର ପ୍ରବାହିତ ହେଉଛି । ୨୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି ।

ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସହାୟତା ପାଇଁ ମୁମ୍ବାଇରୁ ଏକ ନୌସେନା ଟିମ୍ ଦିଲ୍ଲୀରେ ପହଂଚିଛି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ସେକ୍ଟର-୨୩ରେ ବନ୍ୟା ପାଣିରେ ବୁଡି ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଏପଟେ ବନ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ । ଆପ ଅଭିଯୋଗର ଜବାବଦେିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା । ଆପ୍ ସରକାର ନିଜ ଦାୟିତ୍ୱରୁ ଦୁରେଇ ଯାଉଥିବା ସେ ଅଭିଯୋଗ କରିଛନ୍ତି ।