ଷ୍ଟାର ଘରକଳିରେ ଆସିଲା ଆଉ ଏକ ମୋଡ଼: ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର

135

କନକ ବ୍ୟୁରୋ: ତଦନ୍ତରେ ଶୀଥିଳତାକୁ ନେଇ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ, ବୁଧବାର ଭୁବନେଶ୍ୱର ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟରେ ମାନହାନି ମୋକଦମା କରିଛନ୍ତି ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନି ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ୫କୋଟି ୧୦ ହଜାର ଟଙ୍କାର ମାନହାନି ମକଦମା କରିଛନ୍ତି ପ୍ରକୃତି । ତୃପ୍ତି ଓ ଲଳିତ ଶତପଥୀ, ପ୍ରକୃତିଙ୍କୁ ରାସ୍ତା ଉପରେ ମାଡ ମାରିବା ଓ ପରବର୍ତି ସମୟରେ ଗଣମାଧ୍ୟମରେ ଏଣୁତେଣୁ କହିବା ଯାଗୁଁ ତାଙ୍କ ସମ୍ମାନ ହାନି ହୋଇଥିବାରୁ ମାନହାନି ମକଦମା କରାଯାଇଛି ବୋଲି କହିଛନ୍ତିି ତାଙ୍କ ଓକିଲ ।

ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କ ମଧ୍ୟରେ ରାସ୍ତା ଉପରେ କଳି ହେବା ପରେ ପ୍ରକୃତିଙ୍କୁ ଦୋଷୀ ସଜାଇ ଅନେକ ଆକ୍ଷେପମୂଳକ ବୟାନ ଦେଇଥିଲେ ତୃପ୍ତି । ଆଉ ସେସବୁ ବୟାନର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଥିଲା । ଯାହା ଏବେ ବି ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ ରହିଛି । ତେଣୁ ଏହା ତାଙ୍କ ପ୍ରତି ଅପମାନଜନକ ଭିଡିଓ ହୋଇଥିବାରୁ ଏହାକୁ ହଟାଇବାକୁ ଦାବି କରି ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ।

ତେବେ ଏବେ ବି ଉଭୟ ପକ୍ଷ ମଧ୍ୟରେ ସମାଧାନର ବାଟ ଖୋଲା ଅଛି ବୋଲି କହିଛନ୍ତି ପ୍ରକୃତିଙ୍କ ଓକିଲ । ତୃପ୍ତି ଓ ତାଙ୍କ ବାପା ପ୍ରକୃ୍ତିଙ୍କୁ କ୍ଷମା ମାଗିଲେ ମାମଲାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ଗତ ମାସ ୨୩ତାରିଖର ଘଟଣା ପରେ ତୃପ୍ତି, ତାଙ୍କ ବାପା ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମା । ହେଲେ, ଏପର୍ଯ୍ୟନ୍ତ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ । ତବେ ହାଇକୋର୍ଟ ଓ ସିଭିଲ କୋର୍ଟ କି ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ନିର୍ଭର କରୁଛି ସମ୍ପୂର୍ଣ୍ଣ ମାମଲା ।