ବିନା ତାରରେ ଜଳିବ ବିଜୁଳି! ଯୁକ୍ତ ୩ ଛାତ୍ରଙ୍କ ପ୍ରୟାସ, ସ୍ୱପ୍ନ ପୂରଣ ପାଇଁ ଟଙ୍କା ସମସ୍ୟା।

488

କନକ ବ୍ୟୁରୋ: ବିନା ତାରରେ ବି ବିଜୁଳି ଜଳିପାରିବ । ମାନେ ଆପଣ ଖୁଣ୍ଟରୁ ତାର ନଟାଣି ମଧ୍ୟ ଘରେ ୨୪ ଘଣ୍ଟା ବିଜୁଳି ଆଲୁଅ ବ୍ୟବହାର କରିପାରିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ଏ ସ୍ୱପ୍ନ ବି ବାସ୍ତବତାର ରୂପ ନେଇପାରିବ । କିଛି ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଦାରୁଓରା ଗାଁର ରଞ୍ଜିତ ଶେଖର । ଯୁକ୍ତ୩ ବିଜ୍ଞାନର ଛାତ୍ର ରଞ୍ଜିତ ବନ୍ୟା, ବାତ୍ୟା ସମୟରେ ହେଉଥିବା ବିଦ୍ୟୁତ ଯୋଗାଣର ସମସ୍ୟାକ ସମାଧାନ ଏବଂ ବିନା ତାରରେ କିଭଳି ବିଦ୍ୟୁତ ଯୋଗାଣ ହେବ ତାର ପରିକଳ୍ପନା କରିଛନ୍ତି । ଯେଉଁଭଳି ବିନା ତାରରେ ରେଡିଓ ଚାଲୁଛି ଠିକ ସେହିଭଳି ରେଡିଓ ଫ୍ରିକ୍ୱୁଏନ୍ସି ଜରିଆରେ ରେଡିଓ ୱେଭ ଟୁ ଇଲେକ୍ଟ୍ରିସିଟି କରିବା ପାଇଁ ଗବେଷଣା ଜାରିରଖିଛନ୍ତି । ରଞ୍ଜିତ ୨ ବର୍ଷରୁ ଅଧିକ ଗବେଷଣା ପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅର୍ଥ ସାଜିଛି ବାଧକ ।

ବୈଜ୍ଞାନିକ ନିକୋଲା ଟେସଲାଙ୍କ ଗବେଷଣାରୁ ଅନୁପ୍ରାଣିତ ହୋଇ ସେ ଏଭଳି ପ୍ରୟାସ କରିଛନ୍ତି । ରେଡିଓ ୱେଭ ଥିବା ଆଣ୍ଟିନାକୁ ବ୍ୟବହାର କରି ସେ ଏଭଳି ଉଦ୍ଧାବନ କରିଛନ୍ତି । ତେବେ ପୂରା ପ୍ରକ୍ରିୟାକୁ ଶେଷ କରିବା ପାଇଁ ଆବଶ୍ୟକୀୟ ଟ୍ରାନସଫରମର, ରେଜିଷ୍ଟାନ୍ସ, କାପାସିଟର ଭଳି ଅନେକ ସାମଗ୍ରୀ ଉପଲବ୍ଧ ହୋଇପାରୁନାହିଁ । ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ଏହାକୁ କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି ଯାହା ତାଙ୍କ ଗବେଷଣାରେ ବାଧା ସୃଷ୍ଟି କରୁଛି । ପଡୋଶୀ ଘରୁ ଷ୍ଟାବଲାଇଜର ଆଣିସେ ଡୋମୋ ଦେଖାଉଛନ୍ତି । ତେବେ ଯଦି ସାମଗ୍ରୀ ଉପଲବ୍ଧ ହୋଇପାରିବ ତାଙ୍କର ଏହି ପ୍ରୟାସ ସଫଳ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

ରଞ୍ଜିତଙ୍କ କହିବା ଅନୁସାରେ ଯଦି ବିନା ତାରରେ ଦିନ ରାତି ୨୪ ଘଣ୍ଟା ବିଦ୍ୟୁତ ବ୍ୟବହାର କରିହେବ ଏବଂ ସେ ଏହାକୁ କରି ଦେଖାଇବେ ତେବେ ଏହା ତାଙ୍କ ସହ ରାଜ୍ୟ ପାଇଁ ମଧ୍ୟ ଏ ବଡ ସଫଳତା ହେବ । ତେବେ ଏଥିପାଇଁ ତାଙ୍କୁ ପ୍ରଶାସନ ତରଫରୁ ସହାୟତା ମିଳିଲେ ନିଜର ଗବେଷଣାକୁ ସେ ଆଗେଇନେଇପାରିବେ ।