ନାଗରିକ ସଂଶୋଧନ ଆଇନକୁ ନେଇ ତେଜିଲା ରାଜନୀତି । ଧର୍ମରେ ଭେଦଭାବ କରୁଛି କହି ସୁପ୍ରିମକୋର୍ଟରେ ମାମଲା ।

58

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ୨୦୧୯କୁ କେନ୍ଦ୍ର ସରକାର ମାର୍ଚ୍ଚ ୧୧ ତାରିଖରୁ ସମଗ୍ର ଦେଶରେ ଲାଗୁ କରିଛନ୍ତି । ଏହା ପରେ କେରଳର ଏକ ରାଜନୈତିକ ଦଳ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗକୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସିଏଏକୁ ନିଷିଦ୍ଧ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏହି ସଂଗଠନ । ନାଗରିକତା ସଂଶୋଧନ ଆଇନ ଧର୍ମ ଆଧାରରେ ମୁସଲମାନଙ୍କ ପ୍ରତି ଭେଦଭାବ କରୁଛି ବୋଲି ଆବେଦନକାରୀ କହିଛନ୍ତି । ଏହି ଆଇନ ଧାରା ୧୪ର ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ଦର୍ଶାଯାଇଛି । ୨୦୧୯ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ସିଏଏକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ସେହି ସମୟରେ ମଧ୍ୟ ଆଇୟୁଏମ୍ଏଲ୍ ଏହି ଆଇନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲା । ତେବେ କେନ୍ଦ୍ର ସରକାର ସେତେବେଳେ ଅଦାଲତଙ୍କୁ କହିଥିଲେ ଯେ ଯେହେତୁ ଏପର୍ଯ୍ୟନ୍ତ ଏହି ଆଇନ ତିଆରି ହୋଇନାହିଁ, ତେଣୁ ସିଏଏ ଲାଗୁ ହେବ ନାହିଁ । ତେବେ ସୋମବାର ଏହି ନିୟମ ଲାଗୁ ହେବା ପରେ ଆଇୟୁଏମ୍ଏଲ୍ ଏବେ ଏହି ଆଇନ ଉପରେ ରୋକ୍ ଲଗାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଏପଟେ ଦେଶରେ ସାଧାରଣ ନିର୍ବାଚନ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ମୋଦୀ ସରକାର ସୋମବାର ସନ୍ଧ୍ୟାରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ଲାଗୁ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନର ରାଜନୈତିକ ମଇଦାନକୁ ଓହ୍ଲାଇବା ପୂର୍ବରୁ ମୋଦୀ ସରକାର ସିଏଏକୁ କାର୍ଯ୍ୟକାରୀ କରି ନିଜର ‘ହିନ୍ଦୁତ୍ୱ’ରେ ଆଉ ଏକ ଏଜେଣ୍ଡାକୁ ଆଗକୁ ବଢାଇଛନ୍ତି । ଏହାକୁ ନେଇ ସାରା ଦେଶରେ କିଛି ସ୍ଥାନରେ ସ୍ୱାଗତ କରାଯାଇଛି । ଆଉ କିଛି ସ୍ଥାନରେ ବିରୋଧ । ସିଏଏ ଅଧୀନରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣମୁସଲମାନମାନଙ୍କୁ ନାଗରିକତା ମିଳିବ । ଯେଉଁଥିରେ ଏକାସାଙ୍ଗରେ ଅନେକ ରାଜନୈତିକ ସ୍ୱାର୍ଥ ପୂରଣ କରିବାର ରଣନୀତି ରହିଛି । ପଶ୍ଚିମବଙ୍ଗ ଓ ଆସାମ ରାଜନୀତିରେ ଏହି ଆଇନ୍ ସବୁଠାରୁ ଅଧିକ ପ୍ରଭାବ ପକାଇବାକୁ ଯାଉଛି ବୋଲି କୁହାଯାଉଛି । ଆଉ ଏହି ଆଇନ ଲାଗୁ କରି ବିଜେପି ଏବେ ସିଏଏକୁ ବାଜିରେ ଲଗାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ପଶ୍ଚିମବଙ୍ଗରେ ବିଜେପି ଓ ମାତୁଆ ସମ୍ପ୍ରଦାୟ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଆସାମରେ ଅଲ୍ ଆସାମ ଷ୍ଟୁଡେଂଟସ୍ ୟୁନିୟନ ପ୍ରତିବାଦ କରିବା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛି ।

ସିଏଏ ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ଅମିତ ଶାହଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପର୍ଯ୍ୟନ୍ତ ବେଙ୍ଗଲରେ ସିଏଏ ଲାଗୁ କରିବା କଥା କହୁଛନ୍ତି ଏବଂ ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେପି ଏହାର ଫାଇଦା ପାଇବ ବୋଲି ଆଶା ରଖିଛି । ସିଏଏ ଲାଗୁ ହେଲେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ମିଳିବ । ଯେଉଁଥିରେ ବଙ୍ଗଳାର ମାତୁଆ ସମ୍ପ୍ରଦାୟକୁ ସବୁଠାରୁ ଅଧିକ ଫାଇଦା ମିଳିବ । ରାଜ୍ୟରେ ମତୁଆ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ । ୨୦୧୯ରେ ବିଜେପି ମତୁଆ ସମ୍ପ୍ରଦାୟକୁ ପ୍ରତିଶ୍ରୁତି ଦେଇଥିଲା ଯେ ସିଏଏ ସେମାନଙ୍କୁ ନାଗରିକତା ପ୍ରଦାନ କରିବ ।

ପଶ୍ଚିମବଙ୍ଗରେ ପାଖାପାଖି ୧ କୋଟି ୮୦ ଲକ୍ଷ ମାତୁଆ ଭୋଟର ଅଛନ୍ତି । ଯେଉଁମାନେ କୌଣସି ଦଳ ସପକ୍ଷରେ ଗଲେ ବିଜୟ ଆଶା ଅଧିକ । ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ୪ଟି ଲୋକସଭା ଆସନରେ ଏହି ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ମତୁଆ ସମ୍ପ୍ରଦାୟର ଲୋକେ ଦୀର୍ଘ ଦିନ ଧରି ସ୍ଥାୟୀ ନାଗରିକତା ଦାବି କରି ଆସୁଛନ୍ତି । ଏମାନେ ହେଉଛନ୍ତି ହିନ୍ଦୁ ଶରଣାର୍ଥୀ, ଯେଉଁମାନେ ଦେଶ ବିଭାଜନ ସମୟରେ ଏବଂ ତା’ପର ଦଶନ୍ଧି ମଧ୍ୟରେ ବାଂଲାଦେଶରୁ ଭାରତ ଆସିଛନ୍ତି । ମତୁଆ ସମ୍ପ୍ରଦାୟ ଭଳି ରାଜବଂଶୀ ସମ୍ପ୍ରଦାୟ ମଧ୍ୟ ସିଏଏରୁ ଉପକୃତ ହେବେ । ରାଜବଂଶୀମାନେ ମଧ୍ୟ ହିନ୍ଦୁ ଅଟନ୍ତି । ୧୯୭୧ ପରଠାରୁ ଏହି ଲୋକଙ୍କୁ ନାଗରିକତା ମିଳିନାହିଁ । ଏମାନଙ୍କର ପ୍ରଭାବ ପଶ୍ଚିମବଙ୍ଗର ୪-୫ ଲୋକସଭା ଆସନରେ ରହିଛି । ଅର୍ଥାତ ମୋଟ୍ ଆସନରୁ ଏକ ଚତୁର୍ଥାଂଶ ଆସନ ବିଜେପିକୁ ଲାଭ ଦେଇପାରେ । ଅନ୍ୟପଟେ ଏହାକୁ ବିରୋଧ କରି ଆସାମରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ସେହିପରି ଅଣ ବିଜେପି ଶାସିତ ରାଜ୍ୟ ସିଏଏକୁ ବିରୋଧ କରି ନିଜ ନିଜ ରାଜ୍ୟରେ ଲାଗୁ କରିବାକୁ ଦେଇନପାରନ୍ତି । ତିନି ତଲାକ ଉଚ୍ଛେଦ, ଧାରା ୩୭୦ ଉଚ୍ଛେଦ କରିବା ପରେ ମୋଦୀ ସରକାର ସିଏଏ ଲାଗୁ କରି ନିଜ ଏଜେଣ୍ଡାକୁ ଆଉ ପାଦେ ଆଗକୁ ବଢାଇଛନ୍ତି । ଯାହାକୁ ବିଜେପି କହିଛି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସରକାର ।