ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ବେଳେ ରାଜନୈତିକ ଡ୍ରାମା। ମନ୍ତ୍ରୀଙ୍କ ପୂର୍ବରୁ ଫିତା କାଟି ଦେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

303

କନକ ବ୍ୟୁରୋ: ସମ୍ବଲପୁର ଫ୍ଲାଏଓଭର ଉଦଘାଟନ ବେଳେ ଦେଖିବାକୁ ମିଳିଥିଲା ରାଜନୈତିକ ହାଇଡ୍ରାମା । ଉଦଘାଟନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଆସିଥିବା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅପେକ୍ଷା କରିଥିବାବେଳେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ଅଚାନକ ଫିତା କାଟିଦେଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଫଳକର ଅନାବରଣ କରିଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଗତକାଲି ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ସମ୍ବଲପୁର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଫ୍ଲାଏଓଭର ଉପରେ ଉଦଘାଟନୀ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ମଞ୍ଚ ନିକଟରେ ପହଞ୍ଚିଥିଲେ ମନ୍ତ୍ରୀ, ବିଜେଡି ନେତା ଓ କର୍ମୀ । କିଛି ସମୟ ପରେ ସେହି ସ୍ଥାନରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ଜୟନାରୟାଣ ମିଶ୍ର, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକଙ୍କ ସମେତ ବିଜେପି ନେତା ଓ କର୍ମୀ । ଗାଡ଼ିରୁ ଓହ୍ଲାଇ ମଞ୍ଚ ନିକଟରେ ପହଞ୍ଚିବା ପରେ ବିରୋଧୀ ଦଳ ନେତା ସିଧାସଳଖ ଫ୍ଲାଏଓଭର ଉଦଘାଟନୀ ପାଇଁ ଥିବା ଫିତା କାଟିଦେଇଥିଲେ । ବିରୋଧୀ ନେତା ଫିତା କାଟିବା ନେଇ ଉପସ୍ଥିତ ବିଜେପି କର୍ମୀମାନେ ବେଶ ଉତ୍ସାହିତ ହୋଇଥିବା ବେଳେ ବିଜେଡି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରୋଟୋକଲ ଅନୁସାରେ କ୍ୟାବିନେଟ ମନ୍ତ୍ରୀ ନା ବିରୋଧୀ ଦଳ ନେତା କିଏ ବଡ଼ ଏହାକୁ ନେଇ ସେଠାରେ ଉପସ୍ଥିତ କର୍ମୀ ଓ ନେତାଙ୍କ ମଧ୍ୟରେ ତର୍କବିତର୍କ ମଧ୍ୟ ଚାଲିଥିଲା । ହେଲେ, ଏପ୍ରଙ୍ଗରେ ଜୟନାରାୟଣ କହିଛନ୍ତି, ସେ କିଛି ଜାଣିନାହାଁନ୍ତି ତାଙ୍କୁ ଫିତା କାଟିବାକୁ କୁହାଗଲା ସେ କାଟିଲେ ।