ଅନୁଗୁଳରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ନବୀନଙ୍କ ପ୍ରତି ଅନୁଗୁଳବାସୀଙ୍କ ଭଲପାଇବା ଦେଖି କେନ୍ଦ୍ରମନ୍ତ୍ରୀ ଡରିକି ସମ୍ବଲପୁରକୁ ପଳାଇଲେ । 

189

କନକ ବ୍ୟୁରୋ : ଅନୁଗୁଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଅଭିଭାଷଣ ଆରମ୍ଭରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଏହି ମାଟିର ପୁଅ ହୋଇଥିଲେ ମଧ୍ୟ ନିଜକୁ ସମ୍ବଲପୁରକୁ କୋରିଅର କରି ନେଇଛନ୍ତି । ନିଜ ଜନ୍ମମାଟିରେ ଛିଡା ନହୋଇ  ଡରିକି ଚାଲିଗଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅନୁଗୁଳବାସୀଙ୍କ ଭଲପାଇବା ଦେଖି କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ଡରିକି ପଳାଇଲେ ବୋଲି କହିଛନ୍ତି ପାଣ୍ଡିଆନ ।

ମା’ ହିଙ୍ଗୁଳା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ବିଜୁଳି ବିଲକୁ ଛାଡ କରିବେ ନବୀନ । ଯେଉଁଥିରେ ଓଡ଼ିଶାର ୯୦% ପରିବାର ଉପୃକତ ହେବେ । ନବୀନଙ୍କ ଗ୍ୟାରେଣ୍ଟି ପାଇଁ ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ । ମାଗଣା ବିଜୁଳି ଘୋଷଣା ଶୁଣି ବିଜେପି ନେତାଙ୍କୁ କରେଣ୍ଟ ଲାଗିଛି । ୫୦ ହଜାର ଟଙ୍କାରେ ସୋଲାର ପ୍ୟାନେଲ କିଣିବା ପରେ ଏଥିରେ ସୂର୍ଯ୍ୟକିରଣ ଜରିଆରେ ମାଗଣା ବିଜୁଳି ଯୋଗାଇ ଦେବାକୁ କହୁଛି ବିଜେପି । ଏଭଳି କରି ବିଜେପି ନେତା ଓଡ଼ିଶାବାସୀଙ୍କ ଦିନରେ ଲଣ୍ଠନ ଦେଖାଉଛି । ସେହିଭଳି ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କ ପାଇଁ ବିଏସକେୱାଇ କାର୍ଡ ମିଳିବ । ସେହିଭଳି ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ୬୦ ବର୍ଷ ପରେ ଭତ୍ତା ପ୍ରଦାନ କରାଯିବ । ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଭରସିବା ସହ ଶଙ୍ଖ ଚିହ୍ନରେ ମୋହର ମାରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।