ବିଜେପି ନେତା ବସି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ କରିବେ ନମ୍ବର-୧?  କେନ୍ଦ୍ର ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ତେରଛା ବାଣ ।

884

କନକ ବ୍ୟୁରୋ : ଅନୁଗୁଳରେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ । ଓଡ଼ିଶାକୁ ବାରମ୍ବାର ଆସି ପ୍ରଚାର କରୁଥିବା କେନ୍ଦ୍ରୀୟ ନେତାଙ୍କୁ ପ୍ରଶ୍ନବାଣ ମାରିଛନ୍ତି ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ବିଜେପିର ୩ ଜଣ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ବୁଲୁଛନ୍ତି ।  କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି ବୁଲୁଛନ୍ତି । ସମସ୍ତେ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବୁ ।  ଓଡ଼ିଶାକୁ ଯଦି ଏମାନେ ଏକ ନମ୍ବର କରିବେ, ତେବେ ନିଜ ରାଜ୍ୟକୁ କଣ କରିବେ । ବିଜେପି ପ୍ରଥମେ ନିଜର ସଂସଦୀୟ ଦଳ ବୈଠକ କରି କେଉଁ ରାଜ୍ୟକୁ ଏକ ନମ୍ବର କରିବେ ସେନେଇ ନିଷ୍ପତ୍ତି ନିଅନ୍ତୁ । ସେନେଇ ନିଷ୍ପତ୍ତି ନେବା ପରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି କେମିତି ରାଜ୍ୟକୁ ଏକ ନମ୍ବର କରାଯିବ ସେନେଇ ପରାମର୍ଶ ନିଅନ୍ତୁ । ଗୁଜୁରାଟରେ ୨୫ ବର୍ଷ ଡବଲ ଇଞ୍ଜିନ ସରକାର ଚାଲିଛି, କିନ୍ତୁ ଗୁଜୁରାଟକୁ ଏକ ନମ୍ବର କରିପାରିଲେ କି? ଯେଉଁଠି ଡବଲ ଇଞ୍ଜିନ ଚାଲୁଥିଲା, ସବୁଠି ଓଲଟିପଡିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଜରିଆରେ ହିଁ  ଓଡ଼ିଶା ଏକ ନମ୍ବରରେ ପହଞ୍ଚିପାରିବ ।

ଓଡ଼ିଶା ବାହାରୁ ଆସି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନ କରିଥିବା ଲୋକଙ୍କୁ ଉଚିତ୍ ଜବାବ ଦେବେ ଓଡ଼ିଶାବାସୀ । ଆସନ୍ତା ୨୫ ତାରିଖରେ ବହୁ ସଂଖ୍ୟାରେ ମତଦାନ କରିବା ସହ ଏଭଳି ନେତାଙ୍କୁ ମୁହଁତୋଡ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଥିଲେ, କେନ୍ଦ୍ରମନ୍ତ୍ରୀ ଏହି ମାଟିର ପୁଅ ହୋଇଥିଲେ ମଧ୍ୟ ନିଜକୁ ସମ୍ବଲପୁରକୁ କୋରିଅର କରି ନେଇଛନ୍ତି । ନିଜ ଜନ୍ମମାଟିରେ ଛିଡା ନହୋଇ  ଡରିକି ଚାଲିଗଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅନୁଗୁଳବାସୀଙ୍କ ଭଲପାଇବା ଦେଖି କେନ୍ଦ୍ରମନ୍ତ୍ରୀ ସମ୍ବଲପୁରକୁ ଡରିକି ପଳାଇଲେ ବୋଲି କହିଛନ୍ତି ପାଣ୍ଡିଆନ ।