୫ରୁ ୬ ବର୍ଷ ଧରି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଛନ୍ତି ଆଶାୟୀ, ମିଳୁନି ଚାକିରୀ। କଣ ରହିଛି କାରଣ …

132

କନକ ବ୍ୟୁରୋ: ଦେବସ୍ମିତା ନାୟକ, ଘର ଜଗତସିଂହପୁର । ଶିକ୍ଷାଗତ ଯୋଗ୍ୟତା–ଯୁକ୍ତ ୩ ବିଜ୍ଞାନ, ୬ ବର୍ଷ ହେଲା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି । ସେହିଭଳି ଆଉ ଜଣେ କଳ୍ପନା ଦାଶ, ଘର ଜଗତସିଂହପୁର । ଶିକ୍ଷାଗତ ଯୋଗ୍ୟତା –ଯୁକ୍ତ ୩ କଳା ହୋଇଥିବା ବେଳେ ୫ ବର୍ଷ ହେଲା ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି । ଉଭୟ ଏବେ କଟକରେ ରହି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି । ବର୍ଷ ପରେ ବର୍ଷ ବିତୁଛି, ହେଲେ ଚାକିରି ପାଇଁ ସେମାନେ ରଖିଥିବା ଆଶା ଆଶାରେ ହିଁ ରହିଯାଉଛି । ଉଭୟଙ୍କ କହିବା କଥା, ନିଯୁକ୍ତି ପାଇଁ କମ୍ ସିଟ୍ ବାହାରୁଛି, ଆଉ ତା’ ତୁଳନାରେ ବହୁତ ଆଶାୟୀ ରହୁଛନ୍ତି । ସରକାର ଯଦି ପ୍ରତିବର୍ଷ ଅଧିକ ନିଯୁକ୍ତି ବାହାର କରନ୍ତେ, ତାହେଲେ ତାଙ୍କ ପରି ଅନେକଙ୍କୁ ସରକାରୀ ଚାକିରିଟିଏ ମିଳିପାରନ୍ତା । ନିଜେ ଏବେ ପ୍ରାଇଭେଟରେ ଚାକିରି କରି ଖର୍ଚ୍ଚ ତୁଲାଉଛନ୍ତି ।

ଦେବାଶିଷ ପ୍ରାୟ ସବୁଦିନ ରାଜଧାନୀର ପାର୍କକୁ ଆସି ପାଠ ପଢ଼ନ୍ତି । ସକାଳ ୭ଟାରୁ ଆସନ୍ତି, ଆଉ ପଢ଼ାପଢ଼ି କରି ସଂଧ୍ୟା ୮ଟାରେ ଫେରନ୍ତି । ପୂର୍ବରୁ ଡିଫେନ୍ସ ପାଇଁ ପ୍ରସ୍ତୁତି କରୁଥିଲେ, ଏବେ ରେଲୱେ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଦେବାଶିଷଙ୍କ ଘର ଜଗତସିଂହପୁରରେ ହୋଇଥିବା ବେଳେ ଘରେ ରହି ତାଙ୍କ ଭଉଣୀ ମଧ୍ୟ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଖାଲି ଏହି ତିନି ଜଣଙ୍କ କାହାଣୀ ନୁହେଁ, ଏହି ପରି ରାଜ୍ୟର ହଜାର ହଜାର ଆଶାୟୀ ସରକାରୀ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ହେଲେ କାହାକୁ ସଫଳତା ମିଳୁଛି ତ , କିଏ ବର୍ଷ ପରେ ବର୍ଷ ପରିଶ୍ରମ କରିଚାଲିଛି, ଆଉ ହତାଶ ହେଉଛି । ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରାଯାଉ ନାହିଁ, ଯାହା ଏମାନଙ୍କୁ ସରକାରୀ ଚାକିରି ବଦଳରେ ନିଯୁକ୍ତିର ଏକ ବିକଳ୍ପ ଯୋଗାଇଦେବ ।