୨୩ ତାରିଖ ସନ୍ଧ୍ୟାରେ ବାତ୍ୟା! ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍ ଆଶଙ୍କା

867

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବାତ୍ୟାର ଗତିପଥ । ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ବାତ୍ୟା କେଉଁ ପଟେ ଯିବ, କେଉଁଠି ସ୍ଥଳଭାଗ ଛୁଇଁବ, ଏହାର ବେଗ କେତେ ରହିବ । ବାଂଲାଦେଶର ତିନ କୋଣା ଓ ସନ୍ଦୀପ ଦ୍ୱୀପ ମଝି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଆଇଏମଡିର ପୂର୍ବାନୁମାନ ଅନୁସାରେ ଓଡ଼ିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟାର ଗତିପଥ ରହିବ ଏବଂ ବହୁଦୂରରେ ସ୍ଥଳଭାଗ ଛୁଇଁବ । ତେଣୁ ଓଡ଼ିଶା ଉପରେ ଏହାର ବଡ଼ ପ୍ରଭାବ ରହିବନାହିଁ ବୋଲି ଆକଳନ କରାଯାଉଛି । ଉଭୟ ପବନ ଓ ବର୍ଷା ପରିମାଣ କମ ରହିବ । ଗୋଟିଏ କଥା କୁହାଯାଇପାରେ ବାତ୍ୟା ନେଇ ଯେଉଁ ଭୟ ସୃଷ୍ଟି ହେଇଥିଲା, ଏବେ ଏଥିରୁ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ମିଳିଛି ।

ଏହାରି ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ସୁଦୃଶ୍ୟ ଲଘୁଚାପ ।୨୩ ତାରିଖରେ ତୀବ୍ର ଅବପାତର ରୂପ ନେଇ ରି-କର୍ଭ କରିବା ସମ୍ଭାବନା ରହିଛି । ଧୀରେ ଧୀରେ ଏହାର ଦିଗ ବଦଳିବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।୨୩ ତାରିଖ ସନ୍ଧ୍ୟାରେ ଏହା ବାତ୍ୟା ବା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ୨୪ ତାରିଖ ସନ୍ଧ୍ୟାରେ ଭୀଷଣ ସାମୁଦ୍ରିକ ଝଡ଼ ରେ ପରିଣତ ହେବା ଆଶଙ୍କା ରହିଛି । ଏହି ସମୟରେ ସବୁଠୁ ଶକ୍ତିଶାଳୀ ରୂପ ନେଇ ଗତି କରିବ ବାତ୍ୟା । ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ଯାହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେବ । ତେବେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବା ସମ୍ଭାବନା କମ୍ । ୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ଅତିକ୍ରମ କରିବ ସ୍ଥଳଭାଗ

ଓଡ଼ିଶା ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ନେଇ ଯେଉଁ ଆକଳନ କରାଯାଉଥିଲା, ସେଥିରେ ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ୨୩ ତାରିଖ ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ । ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁରଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବା ଆଶଙ୍କା ରହିଛି ।

ଫୁଜିୱାରା ଇଫେକ୍ଟ ଥିଲେ ବି ଓଡ଼ିଶା ଉପକୂଳ ଠାରୁ ବାତ୍ୟା ଅଧିକ ଦୂରତାରେ ଥିବାରୁ ଏହାର ପ୍ରଭାବ କମ୍ ଅନୁଭୂତ ହେବ । ଫୁଜିୱାରା ଇଫେକ୍ଟ ହେଉଛି, ଯଦି ଦୁଇଟି ଘୂର୍ଣ୍ଣବଳୟ କ୍ଷେତ୍ର ସକ୍ରିୟ ରୁହନ୍ତି ଏବଂ ପାଖାପାଖି ଥାଆନ୍ତି, ତେବେ ସବଳ କ୍ଷେତ୍ର ଦୁର୍ବଳ କ୍ଷେତ୍ରକୁ ଆକର୍ଷିତ କରିଥାଏ । ଫଳରେ ଦୁଇଟି କ୍ଷେତ୍ର ଏକତ୍ର ମିଶି ଯିବାରୁ ଏହା ଶକ୍ତିଶାଳୀ ହୋଇ ଘନିଭୂତ ହୋଇଥାଏ । ଅନେକ ସମୟରେ ଏହା ହିଁ ବାତ୍ୟାକୁ ଶକ୍ତିଶାଳୀ କରିଥାଏ । ବାତ୍ୟା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରୁଥିବାରୁ ଓଡ଼ିଶାକୁ ବାତ୍ୟା ନେଇ ଆଶଙ୍କା ରହିଥିଲା, ସେଥିରୁ ଆଶ୍ୱସ୍ତି ମିଳିଛି ।