ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ବ୍ୟକ୍ତିଙ୍କ ଫଟୋ ଧରି ଖୋଜୁଛି ପୋଲିସ: ତଦନ୍ତ ଭିତରେ ଧରା ପଡୁଛି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା

101

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚୁଲା ଭାଙ୍ଗିଥିବା ବ୍ୟକ୍ତିର ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତିଙ୍କ ଭିଡିଓ ଏବଂ ଫଟୋକୁ ସେବାୟତମାନଙ୍କୁ ଚିହ୍ନଟ ପାଇଁ ଦିଆଯାଇଛି । ଏପରିକି ମୋବାଇଲରେ ସେହି ଭିଡିଓ ଫଟୋକୁ ଧରି ବିଭିନ୍ନ ଛକ, ବଜାରରେ ଲୋକଙ୍କୁ ଦେଖାଇ ଚିହ୍ନଟ ପାଇଁ ପ୍ରୟାସ କରୁଛି ପୋଲିସ । ଆବଶ୍ୟକ ପଡିଲେ ସଂପୃକ୍ତି ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରାଯିବ ବୋଲି କହିଛନ୍ତି ପୁରୀ ଏସପି । ସେପଟେ ତଦନ୍ତ ଯେତିକି ଆଗଉଛି, ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ସେତିକି ଜଳଜଳ ହୋଇ ଦେଖା ଯାଉଛି । ୨ ତାରିଖ ରାତିରେ ପଡିନଥିଲା ରୋଷଘର ତାଲା । ବଡସିଂହାର ଭୋଗ ପରେ ରୋଷ ପାଇକ, ଧୋ ପଖାଳୁଆ, ଅଙ୍ଗାରୁଆ ଏବଂ ରବାଡିଆ ସେବାୟତ ରୋଷଘର କାମ ସାରିବା ପରେ ରୋଷ ଦୁଆରୀ ତାଲା ପକାଇ ଗାରଦରେ ଚାବି ଜିମା ଦେଇଥାନ୍ତି । ହେଲେ ଘଟଣାଦିନ ରୋଷଘର ଦ୍ୱାର କତା ଦଉଡିରେ ବନ୍ଧା ଯାଇଥିଲା । ତେଣୁ ଦୁର୍ବୃତ ଭିତରେ ପଶି ଚୁଲି ଭାଙ୍ଗିଛନ୍ତି ।

ସେବାୟତଙ୍କୁ ଡାକି ସିସିଟିଭି ଫୁଟେଜ ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିରୁ ଜଣାପଡୁଛି ଯେ, ଧଳାସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପୋଷାକଟି ରୋଷଘର ହଳଦୀ ଲାଗି ସଂପୂର୍ଣ୍ଣ ହଳଦିଆ ହୋଇଯାଇଥିବାବେଳେ ରୋଷଘରୁ ବାହାରି ମୁଦୁଲି ଦ୍ୱାର ଦେଇ ନାଟ ମଣ୍ଡପକୁ ପ୍ରବେଶ କରୁଛନ୍ତି । ରାତି ପ୍ରାୟ ଗୋଟାଏ ୧୫ରେ ଧୋପଖାଳ ସେବାୟତ ଚୁଲି ଭଙ୍ଗା ନେଇ ଶ୍ରୀମନ୍ଦିର ଗାରଦରେ ଅଭିଯୋଗ କରିଥିଲେ । ହେଲେ ରାତି ଗୋଟାଏ ୨୫ରେ ଶ୍ରୀମନ୍ଦିର ଶୋଧ କରୁଥିବା ୪ ଜେଟିପି ସେହି ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ବାହାରେ ଛାଡି ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଅବାଧରେ ବୁଲୁଥିବା ଏହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ ନଥିବା ତାଙ୍କ ଆଚରଣରୁ ଜଣା ପଡୁଥିବା କହିଛନ୍ତି ସେବାୟତ । ତେଣୁ ସେ ହିଁ ଚୁଲି ଭାଙ୍ଗିଥିବା ସନ୍ଦେହରେ ପୋଲିସ ଖୋଳତାଡ କରୁଛି ।

ଧୋପଖାଳ ସେବାୟତଙ୍କଠୁ ଚୁଲି ଭଙ୍ଗା ଯାଇଥିବା ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର କମାଣ୍ଡର ରାତି ୩ଟା ବେଳେ ନିଜେ ରୋଷଶାଳାକୁ ଯାଇ ତଦନ୍ତ କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ହେଲେ ପ୍ରଶ୍ନ ଉଠୁଛି
– ଘଟଣା ସଂପର୍କରେ ଅବଗତ ଥାଇ ମଧ୍ୟ କାହିଁକି ତତ୍ପରତା ଦେଖାଇଲେ ନାହିଁ ଶ୍ରୀମନ୍ଦିର କମାଣ୍ଡର?
– ରାତି ଗୋଟାଏ ୧୫ରେ ଅଭିଯୋଗ ସତ୍ୱେ ମନ୍ଦିର ଶୋଧ କରୁଥିବା ଜେଟିପି ଗୋଟାଏ ୨୫ରେ ସେହି ବ୍ୟକ୍ତିଙ୍କୁ ସିଂହଦ୍ୱାରା ବାହାରେ ଛାଡିଲେ କାହିଁକି?
– ଯେଉଁ ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି, ସେମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ?
– ମାନସିକ ଅବସ୍ଥା ଠିକ ନଥିବା ଜଣେ ବ୍ୟକ୍ତି ରୋଷଶାଳାକୁ ଶାବଳ ନେଇ ଗଲେ କେମିତି ଓ କିଭଳି ଏକାକୀ ୪୦ରୁ ଅଧିକ ଚୁଲି ଭାଙ୍ଗିଦେଲେ?

ଚୋର ଗଲାପରେ ବୁଦ୍ଧି ପଶିଲା ଭଳି ଚୁଲିଭଙ୍ଗା ଘଟଣା ପରେ ଶ୍ରୀମନ୍ଦିରରେ ବଢିଛି ସୁରକ୍ଷା । ରୋଷଘରେ କତା ଦଉଡି ବଦଳରେ ପଡିଛି ତାଲା । ରାତିରେ ଜେଟିପିଙ୍କ ସହ ମୁତୟନ ହେବେ ଓଡିଶା ପୋଲିସର ୧ ସେକ୍ସନ ଫୋର୍ସ । ସେପଟେ ଜୋରସୋରରେ ଚାଲିଛି ଚୁଲି ତିଆରି କାମ । ସୁଆର ଓ ମହାସୁଆର ନିଯୋଗ ସଦସ୍ୟ ରଂଜିତ ସୁପକାର କହିଛନ୍ତି, ୫୦ରୁ ଅଧିକ ଚୁଲିର ମରାମତି କାମ ପ୍ରାୟ ସରିଗଲାଣି । ବୁଧବାରଠାରୁ ଚୁଲିରେ ନିୟମିତ କାମ ଆରମ୍ଭ ହୋଇପାରେ ।