ବଢୁଥିବା ତୈଳ ଦର ନେଇ ସରକାରଙ୍କୁ ରକ୍ଷା କରୁଛନ୍ତି ତୈଳମନ୍ତ୍ରୀ, ୬ ଟି ଦେଶର ଉଦାହରଣ ଦେଇ କହିଲେ ଏଭଳି କଥା

139

କନକ ବ୍ୟୁରୋ : ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ୧୫ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ୧୩ ଥର ବୃଦ୍ଧି ପାଇସାରିଛି । ଏହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିବା ବେଳେ ସରକାରଙ୍କୁ ରକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ।

୧୫ ଦିନ ମଧ୍ୟରେ ପେଟ୍ରୋଲ ୯.୨୦ ପଇସା ପେଟ୍ରୋଲ ଦର ବୃଦ୍ଧିକୁ ନେଇ ବିରୋଧୀମାନେ ମଙ୍ଗଳବାର ଦିନ ସଂସଦରେ କହିଛନ୍ତି କି ଅନ୍ୟଦେଶମାନଙ୍କ ତୁଳନାରେ ଭାରତରେ ମାତ୍ର ୧ ପ୍ରତିଶତ ତୈଳଦର ବୃଦ୍ଧି ହୋଇଛି । ଏପ୍ରିଲ ୨୦୨୧ ଓ ମାର୍ଚ୍ଚ ୨୦୨୨ ମଧ୍ୟରେ ପେଟ୍ରୋଲର ଦାମ ଆମେରିକାରେ ୫୧ ପ୍ରତିଶତ, କାନାଡାରେ ୫୨ ପ୍ରତିଶତ, ଜର୍ମାନୀରେ ୫୫ ପ୍ରତିଶତ, ବ୍ରିଟେନରେ ୫୫ ପ୍ରତିଶତ, ଫ୍ରାନ୍ସରେ ୫୦ ପ୍ରତିଶତ, ସ୍ପେନରେ ୫୮ ପ୍ରତିଶତ ବୃଦ୍ଧି ପାଇଛି । ହେଲେ ସେହି ତୁଳନାରେ ଭାରତରେ ମାତ୍ର ୫ ପ୍ରତିଶତ ବୃଦ୍ଧି ପାଇଥିବା କଥା ହରଦୀପ ପୁରୀ ସଂସଦରେ ସୂଚନା ଦେଇଛନ୍ତି ।

କହିରଖୁ କି ମଙ୍ଗଳବାର ସୁଦ୍ଧା ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୦୪.୬୧ ଟଙ୍କା ଓ ଡିଜେଲର ଦାମ ୯୫.୮୭ ଟଙ୍କା ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲର ଦାମ ୧୧୯.୬୭ ଟଙ୍କା ଓ ଡିଜେଲ ୧୦୩ ଟଙ୍କାରେ ପହଂଚିଛି ।

ସୂଚନା ଥାଉକି ଏହା ପୂର୍ବରୁ ବିରୋଧୀମାନେ ଯେତେବେଳ ତୈଳଦରକୁ ନେଇ ସରକାରଙ୍କୁ ଘେରିଥିଲେ ଠିକ ସେତିକି ବେଳେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ କି ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳଦର ବୃଦ୍ଧି ପାଇଁ ଦେଶରେ ତୈଳଦର ବୃଦ୍ଧି ପାଉଛି । ଏହାସହ ଦେଶବାସୀଙ୍କୁ ଶସ୍ତାଦାମରେ ତୈଳ ଯୋଗାଇ ଦେବା ନେଇ ସରକାର ପ୍ରୟାସ କରୁଛନ୍ତି ବୋଲି ସେ ବିରୋଧୀଙ୍କୁ ଆଶ୍ୱାସନା ଦେଇଥିଲେ ।