ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼

238

କନକ ବ୍ୟୁରୋ : ଅପେକ୍ଷା ଜାନୁଆରୀ ୨୨କୁ । ଶୁଭ ମୁହୁର୍ତରେ ଅଯୋଧ୍ୟା ଶ୍ରୀରାମନ୍ଦିରର ଗର୍ଭଗୃହରେ ହେବ ରାମଲାଲା ବା ପ୍ରଭୁ ଶ୍ରୀରାମଙ୍କ ବାଳକ ରୂପ ବିଗ୍ରହର ପ୍ରାଣପ୍ରତିଷ୍ଠା । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସୁରୁଖୁରରେ ପ୍ରାଣପ୍ରତିଷ୍ଠା କାମ ସାରିବାକୁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ଦିନ ଉପବାସ କରି ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସରୟୁ ନଦୀରେ ବୁଡ ପକାଇବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ମଠ ମହନ୍ତଙ୍କ ଅନୁସାରେ ଯିଏ ପ୍ରାଣପ୍ରତିଷ୍ଠା ସମୟରେ ଗର୍ଭଗୃହରେ ରହିବେ ବା ଯଜମାନ ଦାୟିତ୍ୱ ତୁଳାଇବେ ସେମାନେ ପବିତ୍ର ନଦୀରେ ବୁଡ ପକାଇବା ନିୟମ ରହିଛି ।

ଗର୍ଭଗୃହରେ ଯେଉଁ ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ମୁଖ୍ୟ ପୁରୋହିତ ମୋଟ ୫ଜଣ ଗର୍ଭଗୃହରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ପ୍ରାଣପ୍ରତିଷ୍ଠା ପାଇଁ ୩ଟି ପୂଜକ ଦଳଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶର ବିଭିନ୍ନ ମନ୍ଦିର, ମଠରୁ ୪ହଜାର ସାଧୁ,ସନ୍ଥ ପୂଜକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି ଅଯୋଧ୍ୟାରେ ରୀତିନିତି ବିଧିବିଧାନ ସହ କାର୍ଯ୍ୟ ପ୍ରାଣପ୍ରତିଷ୍ଠା ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଜାନୁଆରୀ ୧୫ରୁ ଆରମ୍ଭ ହେବ ।

ସୂଚନା ଅନୁସାରେ ରାମଲାଲା ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ୮୪ ସେକେଣ୍ଡ ସମୟ ଧାର୍ଯ୍ୟ କରାଯାଇଛି । ସେହି ସମୟ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୯ମିନିଟରୁ ୮ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ବୋଲି ଜଣାପଡିଛି । ପୂର୍ବରୁ ୨୦୨୧ରେ କାଶୀ ବିଶ୍ୱନାଥ କରିଡର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ସ୍ନାନ କରିବାପରେ କରିଡର ଲୋକାର୍ପଣ କରିଥିଲେ ।